ଚମ୍ପୁଆ, ୭ ଅଗଷ୍ଟ (ହି.ସ.) - ଚମ୍ପୁଆ ଉପଖଣ୍ଡ ଘରୋଇ ବସ୍ ମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ ବଢିବା ପରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସଂଘର ନିର୍ବାଚନ କମିଟି ସଙ୍ଗେ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରିଥିଲେ। ଏହା ପରେ ଚମ୍ପୁଆ ଉପଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆଲୋଚନା କରିଥିଲେ । ବୈଠକରେ ଉପଜିଲ୍ଲାପାଳ ସଂଘର ବାଇଲୋ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିନା ଗଭର୍ଣିଂ ବଡିରେ ବାଇଲୋ ସଂଶୋଧନ ପ୍ରସ୍ତାବକୁ ନେଇ ଉଭୟ ଗୋଷ୍ଠୀର ସଦସ୍ୟ ମାନେ ଅସହମତି ପ୍ରକାଶ କରିଥିଲେ । ଏହା ପରେ ଉପ ଜିଲ୍ଲାପାଳ ସଂଘର ନୂଆ ଓ ପୁରୁଣା ମିଶି ୬୭ ଜଣ ସଦସ୍ୟଙ୍କ କାଗଜ ପତ୍ର ଯାଂଚ ପାଇଁ କେନ୍ଦୁଝର ଆରଟିଓ ଙ୍କୁ ପଠାଇ ଥିଲେ । ତେବେ ସଂଘର ନିୟମାନୁସାରେ ନିର୍ବାଚିତ ସାଧାରଣ ସଭାର ଅନୁମୋଦନ ବିନା ନୂତନ ସଦସ୍ୟ ସଂଘରେ ମିଶି ପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଉପଜିଲ୍ଲାପାଳ ୫୪ ଜଣ ସଦସ୍ୟଙ୍କ ସ୍ଥାନରେ ୬୭ ଜଣ ସଦସ୍ୟଙ୍କ ନଥି ପତ୍ର ଯାଂଚ ପାଇଁ ପଠାଇଥିଲେ । ବର୍ତମାନ ସଂଘର ଦୁଇ ଗୋଷ୍ଠୀ ନିଜ ନିଜର କର୍ମକର୍ତା ଚୟନ କରି ଏ ବାବଦରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ନିଜ ନିଜ ଗୋଷ୍ଠୀର ମନୋନୟନକୁ ଅନୁମୋଦନ ପାଇଁ ଅବଗତ କରିଛନ୍ତି । ତେବେ ୧୮୬୦ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ଅନୁସାରେ ଗୋଟିଏ ସଂଘରେ ଦୁଇଟି ଗଭର୍ଣିଂ ବଡି ରହି ପାରିବେ ନାହିଁ ବୋଲି ନିୟମ ଥିବାରୁ ଏହାକୁ ନେଇ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଚିଠି ନଂ ୨୦୦୬ ତାରିଖ ୦୬.୦୮.୨୫ ଅନୁସାରେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଏହି ମର୍ମରେ ଆଗକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତିନି ଦିନ ମଧ୍ୟରେ ସଦସ୍ୟ ତାଲିକାକୁ ୫୪ ରୁ ୬୭ କୁ ପରିବର୍ତନ କରିବାର କାରଣ ସମ୍ପର୍କରେ ଜଣାଇବାକୁ ଅନୁରୋଧ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta