ବାରିପଦା, ୭ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ଗୁରୁବାର ଏକ ମାନସିକ ଦିବ୍ୟାଙ୍ଗ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁଦୀପ୍ତ ଆଚାର୍ଯ୍ୟ ଏହାର ବିଚାର କରି ୩ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। ଏଥି ସହିତ ୨୦,୦୦୦ ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ବର୍ଷର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ଶିଆଲିଘାଟି ଗ୍ରାମର କାହ୍ନୁ ମାର୍ଣ୍ଡି, ହୃଦାନନ୍ଦ ନାଏକ ଏବଂ ସୋଲେ ହାଁସଦା। ଅଭିଯୋଗ ଅନୁଯାୟୀ, ଛତିଶଗଡ଼ ରାଜ୍ୟର ବିଳାସପୁର ଅଂଚଳର ଜଣେ ମାନସିକ ଦିବ୍ୟାଙ୍ଗ ମହିଳା ଶିଆଳିଘାଟି ଗ୍ରାମର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ରହୁଥିଲେ। ଗତ ୨୦୧୮ ମସିହାରେ ୩ଜଣ ଆସାମୀ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଅନ୍ଧାରର ସୁଯୋଗ ନେଇ ଦୁଷ୍କର୍ମ କରୁଥିବା ନେଇ ଗ୍ରାମର ଦୁଇ ଜଣ ପିଲା ଟିଉସନରୁ ଫେରୁଥିବା ବେଳେ ଦେଖିଥିଲେ। ଏନେଇ ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ। ଗ୍ରାମର ସରପଂଚ ଓ ସମିତି ସଭ୍ୟ ପ୍ରମୁଖ ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ। ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଂଚି ଯାଂଚ ପ୍ରକ୍ରିୟା କରିଥିଲେ। ଏହାସହିତ ପିଡିତାର ବୟାନ ରେକର୍ଡ କରିଥିଲେ। ତହିଁ ପରଦିନ ପୁଲିସ ମାମଲା ରୁଜୁ କରି ୩ଜଣ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ବିଚାର ସମୟରେ ୨ଜଣ ପ୍ରତାକ୍ଷଦର୍ଶୀ, ୧୬ଜଣ ସାକ୍ଷୀ, ୩୮ଟି କାଗଜପତ୍ର, ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ପିପି ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ