ରାଉରକେଲା, ୭ ଅଗଷ୍ଟ (ହି.ସ.)- ଆର ଏସ ପି ଏକ ଭଲ ଜାଗାରେ ହୋଇଛି, ଏହାର ଆଖପାଖରେ ଖଣି ଖାଦାନ ଭରପୁର ରହିଛି ଗମନାଗମନର ସୁବିଧା ରହିଛି ହେଲେ ୪.୫ଏମ ଟି ରୁ ୯ଏମଟି ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ ଯେଉଁ ସବୁ ସମସ୍ୟା ଲାଗି ରହିଛି ତାକୁ ସମାଧାନ କରିବାକୁ ଆରଏସପି ଡାଇରେକଟର ଇନଚାର୍ଜ ଓ ସେଲ ଚେୟାରମ୍ୟାନଙ୍କର ମଧ୍ୟ କ୍ଷମତା ନାହିଁ କିନ୍ତୁ ଆରଏସପି ର ଡାଇରେକ୍ଟର ଇନଚାର୍ଜ ଆଲୋକ ବର୍ମା କହିଛନ୍ତି ଆମେ ଚେଷ୍ଟା କରୁଛୁ ଖୁବ ଶୀଘ୍ର ହୋଇଯିବ କିନ୍ତୁ କେବେ ସୁଦ୍ଧା ଏହି କାମ ଆରମ୍ଭ ହୋଇ କେବେ ସରିବ ତାହା ସ୍ପଷ୍ଟ କରିନାହାନ୍ତି l ସେପଟେ ଏହିସବୁ ସମସ୍ୟାକୁ ଲକ୍ଷ୍ୟ କରି ପୁରାତନ ଅଧିକାରୀ ମାନେ କହିଛନ୍ତି ଯେ, ଏଠି ପ୍ରଧାନମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ ନକରିବା ଯାଏ କୌଣସି କାମ ଅସମ୍ଭବ. ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମିଡ଼ିଆ ସହ ଏକ ଭେଟ ଘାଟ ବେଳେ ଏହାର ମୁଖିଆ ଶ୍ରୀ ବର୍ମା କହିଛନ୍ତି, ଆମେ ୨୦୨୯ ସୁଦ୍ଧା କମ ମୂଲ୍ୟରେ ଇସ୍ପାତ ଉତ୍ପାଦନ ଲାଗି ସକ୍ଷମ ହେବାକୁ ଉଦ୍ୟମ କରୁଛୁ l ସେପଟେ କାରଖାନାର ସମ୍ପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ୧୨୦୦ ଏକର ଜମି ଜବରଦଖଲରେ ରହିଛି ଯେଉଁଥିଲାଗି ୨ୟ ରେଳ ଲାଇନ ହୋଇପାରୁନି, ତଥାପି ଏହାର ସମାଧାନ ଲାଗି ଆମେ ଉଦ୍ୟମ ଜାରି ରଖିଛୁ l ତଥ୍ୟ ଯାହା କହୁଛି, ଆରଏସପି ସମ୍ପ୍ରସାରଣ ଲାଗି ମୁଖ୍ୟତଃ ୨ଟି ସମସ୍ୟା ରହିଛି, ପ୍ରଥମଟି ବାସଚ୍ୟୁତ ମାନଙ୍କୁ ଚାକିରୀ ଦ୍ଵିତୀୟଟି ହେଲା ଜବରଦଖଲ, ଜବରଦଖଲ ଵାଲା ବି ଚାକିରୀ ଓ ଥଇଥାନ ଦାବି କରୁଛନ୍ତି l ଏହି ସମସ୍ୟା ଗୁଡିକର ସମାଧାନ ଲାଗି ପ୍ରାୟ ୧୫ଶହରୁ ୨ହଜାର ଚାକିରୀ ଦେବାର ଆବଶ୍ୟକତା ରହିଛି କିନ୍ତୁ ଚାକିରୀକୁ ଯଦି ଦେଖାଯାଏ ଆରଏସପି ରେ ଆଉ ନିଯୁକ୍ତି ପ୍ରାୟ ନାହିଁ କାରଖାନାର ଫରନେସ ଠାରୁ ଅନେକ ବିଭାଗ ଓ ଆଇଜିଏଚ ର ମଧ୍ୟ ଅନେକାଂଶରେ ଘରୋଇକରଣ ସରିଲାଣି, ଏଭଳି କ୍ଷେତ୍ରରେ ଯେଉଁଠି ଖୋଦ ଡି ଆଈ ସି ଓ ତାଙ୍କ ସେଲ ଚେୟାରମ୍ୟାନଙ୍କର ଚାକିରୀ ଦେବାର କ୍ଷମତା ନାହିଁ ସେଠି ଏ ସମସ୍ୟାର ସମାଧାନ ଏମାନେ କରିବେ କେମିତି ବୋଲି ପୁରାତନ ଅଧିକାରୀ ମାନେ ପ୍ରଶ୍ନ କରିଛନ୍ତି l ବାସଚ୍ୟୁତଙ୍କୁ ଚାକିରୀ ଦେବାଲାଗି ଆର୍ଡିସିଙ୍କ ସମେତ ଜିଲ୍ଲାର ଅଧିକାରୀ ମାନେ କହିବା ସତ୍ୱେ ଆରଏସପି ରେ ଚାକିରୀ ଦିଆଗଲା ନାହିଁ ଆଜି ବି ସେମାନେ ଆନ୍ଦୋଳନ କରୁଛନ୍ତି l ସେପଟେ ଜବରଦଖଲକୁ ଯଦି ଦେଖାଯାଏ ୬୫ବର୍ଷ ତଳେ ଆରଏସପି କରିଥିବା ରେଳ ଲାଇନକୁ ମଧ୍ୟ ଲୋକେ ମାଡି ବସିଛନ୍ତି ଏମାନଙ୍କ ଭିତରେ ଅନେକ ଆଦିବାସୀ ଅଛନ୍ତି, ଏମାନଙ୍କ ଲାଗି ପେସା ଆଇନ ରହିଛି l ତେଣୁ ଏ ଯାଗାରେ ହାତ ମାରିବା ଅସମ୍ଭବ. ୧୨୦୦ ଏକର ଜାଗା ଆଜି ଧୀରେ ଧୀରେ ଜବରଦଖଲ ହୋଇଗଲା କିନ୍ତୁ ବାବୁ ମାନେ କିଛି କଲେ ନାହିଁ ଜର୍ମାନ କ୍ଲବରେ ମଜାମାରି ଚାକିରୀ ସାରିଦେଲେ ଏବେ ଜବରଦଖଲ ଲାଗି ପ୍ରକଳ୍ପ ଅଟକି ରହିଛି l ତେବେ ଏହି ୩୦ହଜାର କୋଟି ଟଙ୍କାର ପ୍ରକଳ୍ପ ୩ବର୍ଷ ଆଗରୁ ଆସିଲାଣି ନବୀନ ସରକାର ବେଳେ ବିଶ୍ୱକପ ହକି ଲାଗି ସେତେବେଳେ ପାଣ୍ଡିଆନ ବାବୁ ସେଲ ର ହକି ପଡିଆ ମାଗି ବିଫଳ ହେବାରୁ ପ୍ରାୟ ୧୫ଶହ କୋଟି ଖର୍ଚ୍ଚରେ ହକି ପଡିଆ କରି ସେଠି ଖେଳ ହେଲା l ସେଲ ପଡିଆ ମିଳିଥିଲେ ୩୦୦କୋଟିରେ କାମ ଚଳିଥାନ୍ତା କିନ୍ତୁ ୧୫ଶହ କୋଟି ଓଡିଶା ସରକାରର ଖର୍ଚ୍ଚ ହେଲା, ତେଣୁ ସେତେବେଳେ ସେଲ ଅଧ୍ୟକ୍ଷ ଯେତେ ଓଡିଶା ସରକାର ପାଖକୁ ଏହି ଜବରଦଖଲ ସମସ୍ୟା ଲାଗି ଦୌଡିଲେ ମଧ୍ୟ କେହି କିଛି ଶୁଣିଲେନି ଓ ଆଦିବାସୀ ପଲିଟିକ୍ସରେ ହାତ ମାରିଲେ ନାହିଁ, ବର୍ତମାନ ସରକାର ରେ ମଧ୍ୟ ଜଣେ ଆଦିବାସୀ ନେତା ସରକାରର ମୁଖ୍ୟ ତେଣୁ ସେ ମଧ୍ୟ ଏତେ ସହଜରେ ଏଠି ହାତ ମାରିବେ ନାହିଁ, ତେଣୁ ଉଭୟ ବାସଚ୍ୟୁତ ଓ ଜବର ଦଖଲ ସମସ୍ୟା ଲାଗି ଚାକିରୀର ଅଵଶ୍ୟକତା ରହିଛି l ଏହାକୁ କେବଳ ପ୍ରଧାନମନ୍ତ୍ରୀଙ୍କ ଅଫିସ ହିଁ ଚାହିଁଲେ କିଛି କରିହେବ, ତେଣୁ ପି ଏମ ଓ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଯାଇ ଏହି ସମସ୍ୟାର ସମାଧାନ ହେବ ବୋଲି ପୁରାତନ ସେଲ ଅଧିକାରୀ ମାନେ ମତ ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ