ବାରିପଦା, ୭ ଅଗଷ୍ଟ (ହି.ସ.)- ଜାତୀୟ ରାଜପଥ ୧୮ରେ ବିପଦପୂର୍ଣ୍ଣ ଭାବେ ରେସିଂ ବାଇକରେ ଷ୍ଟଂଟ କରି ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ଥାନା ଅନ୍ତର୍ଗତ କେଉଟଣିମାରୀ ଗ୍ରାମର ବିଶ୍ୱଜିତ ମହାନ୍ତ(୨୪)। ଜାତୀୟ ରାଜପଥର ଫ୍ଲାଇ ଓଭର ଉପରେ ରେସିଂ ବାଇକରେ ଯୁବକ ଜଣକ ଚକ ଟେକି ଗାଡି ଚଳାଇ ଷ୍ଟଂଟ କରିଥିଲେ। ଯାହାକି ନିଜ ସୋସିଆଲ ମିଡିଆ ଆଇଡିରେ ଛାଡିଥିଲେ। ଏହା ଅନେକ ଭାଇରାଲ ହୋଇଥିଲା। ସର୍ବସାଧାରଣ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରି ଜନସାଧାରଣ ସମେତ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ଏନେଇ ପୁଲିସ ପକ୍ଷରୁ ଭାଇରାଲ ଭିଡ଼ିଓକୁ ନେଇ ଯାଂଚ କରାଯାଇଥିଲା। ଭିଡ଼ିଓରେ ସେ ବେତନଟୀ ଥାନା ଅନ୍ତର୍ଗତ ରାଗଧା ବସ ଷ୍ଟପ ନିକଟରେ ଷ୍ଟଂଟ କରିଥିବା ନେଇ ପୁଲିସ ଜାଣିଥିଲା। ଏହାକୁ ନେଇ ବେତନଟି ଥାନାରେ ଏକ ମାମଲା ରୁଜୁ କରି ଯୁବକକୁ ଗିରଫ କରିଛନ୍ତି। ଏନେଇ ଆଗକୁ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ କହିଛନ୍ତି। ଏହାସହିତ ସର୍ବସାଧାରଣ ସ୍ଥାନରେ ଏହିପରି କାର୍ଯ୍ୟରୁ ନିବୃତ ରହିବାକୁ ପୁଲିସ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ