ମାଲକାନଗିରି, ୭ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ଏମ ଭି - ୭୯ ଥାନା ଅନ୍ତର୍ଗତ ଏମ ଭି - ୭୪ ଗ୍ରାମର ଏକ ହାର୍ଡୱେର ଦୋକାନର ତାଲା ଭାଙ୍ଗି ଟଙ୍କା ବାକ୍ସ ଲୁଟ କରି ଛୁ ମାରିଥିଲେ ଦୁର୍ବୃତ । ମଙ୍ଗଳବାର ରାତି ଅଧରେ ଦୁର୍ବୃତ ମାନେ ହାର୍ଡୱେର ଦୋକାନରୁ ଲୁଟି ନେଇଥିଲେ ଟଙ୍କା ସହ ସୁନା ମୁଦି । ଏହା ସହ ଗାଁ ର ଅନ୍ୟ ଜଣଙ୍କ ଘରେ ପଶି ଯୁବତୀଙ୍କୁ ମରଣାତ୍ମକ ଆକ୍ରମଣ କରି ଚୋରୀ ପାଇଁ ଉଦ୍ୟମ କରିଥିଲେ । ସକାଳେ ଏମ ଭି - ୭୯ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏମ ଭି - ୭୪ ଗାଁ ଛକରେ ହାର୍ଡୱେର ଦୋକାନ କରିଥିବା ସଞ୍ଜୟ ବିଶ୍ୱାସ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ଦୋକାନର ପଛପଟ ଗ୍ରିଲ୍ ଭାଙ୍ଗି ଦୁର୍ବୃତ ଭିତରେ ପଶି ଚୋରି କରିଥିଲା । ଏହାସହ ଦୁର୍ବୃତ ସଞ୍ଜୟ ବିଶ୍ୱାସଙ୍କ ଦୋକାନ ନିକଟରେ ରହୁଥିବା ଶିକ୍ଷକ କେତୁ ଗୋଲଦାରଙ୍କ ଘରେ ପଶି ଚୋରୀ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଶିକ୍ଷକ କେତୁ ଗୋଲଦାରଙ୍କ ଝିଅ ଦୁର୍ବୃତକୁ ଦେଖି ଚିତ୍କାର କରିଥିଲେ । ପରେ ଦୁର୍ବୃତ ଜଣଙ୍କ ଯୁବତୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ପରେ ଯୁବତୀଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ନେଇ ଏମ ଭି - ୭୯ ଥାନା ରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏମ ଭି -୭୨ ଗ୍ରାମର ଅଭିଯୁକ୍ତ ଦେବନାଥ ରାୟ (୨୨) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଏମ ଭି - ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ