କେନ୍ଦ୍ରାପଡ଼ା, ୭ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣାରେ ଗ୍ରାମାଚଂଳ ଥାନା ଏଏସଆଇ ଶୈଳେନ୍ଦ୍ର ପଲେଇଙ୍କୁ ବଦଳି ନିର୍ଦ୍ଦେଶ ଆସିଛି । ଏଏସଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ । ବିଶେଷ କରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଙ୍କ ତଥାକଥିତ ପ୍ରେମିକ ତାଙ୍କୁ ବ୍ରେକ୍ଅପ୍ ପରେ ବ୍ଲାକମେଲ୍ କରୁଥିବା, ଫଟୋ ଭାଇରାଲ୍ କରୁଥିବା, ହଇରାଣ ହରକତ ସହ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ଛାତ୍ରୀ ଜଣକ ୪ ମାସ ତଳେ ଅଭିଯୋଗ କରିଥିଲେ । କିନ୍ତୁ, ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଏପରିକି ପୁଲିସ ଏଏସଆଇ ଶୈଳେନ୍ଦ୍ର ପଲେଇ ଏତଲା ରଖିନଥିବା ଅଭିଯୋଗ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ