ମାଲକାନଗିରି, ୭ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ରୁ ଦୁଇଟି ଭିନ୍ନ ପ୍ରଜାତିର ବିଷଧର ସାପ ଉଦ୍ଧାର ହୋଇଛି । ଗତକାଲି ରାତି ୧୦ ଟା ବେଳେ ଶୋଇବା ପାଇଁ ଯିବା ବେଳେ କିଛି ଝିଅ ହଷ୍ଟେଲ ଭିତରେ ଏକ ୩ ଫୁଟ ଲମ୍ବର ନାଗ ସାପ ଦେଖି ଭୟଭୀତ ହୋଇ ଚିତ୍କାର କରି ଉଠିଥିଲେ । ଘଟଣା କଣ ଜାଣିବା ପାଇଁ ଶିକ୍ଷୟିତ୍ରୀ ମାନେ ସେଠିକି ଧାଇଁ ଆସି ପହଞ୍ଚିବା ବେଳକୁ ହଷ୍ଟେଲ ମୁଖ୍ୟ ଫାଟକ ପାଖରେ ଅନ୍ୟ କିଛି ଝିଅ ଆଉ ଏକ ସାପ ଦେଖି ଚିତ୍କାର କରିଥିଲେ । ହଷ୍ଟେଲରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ପିଲାଙ୍କ ସୌଭାଗ୍ୟକୁ ସ୍କୁଲ ରେ ନୂଆ କରି ଯୋଗ ଦେଇଥିବା ଶିକ୍ଷୟିତ୍ରୀ ସ୍ନେହାଶ୍ରୀ ସୋରେନ ଯିଏକି ଓଡ଼ିଶାରେ ସର୍ପ-ଶିକ୍ଷୟିତ୍ରୀ ଭାବରେ ପରିଚିତ । ସ୍ନେହାଶ୍ରୀ ଛାତ୍ରୀ ମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହିତ ସାପ ଠାରୁ ଦୂରେଇ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ନିଜ ରୁମ୍ କୁ ଯାଇ ବ୍ୟାଗ୍ ଏବଂ ସ୍ନେକ୍ ହୁକ୍ ଆଣିବା କିମ୍ବା ଜୋତା ପିନ୍ଧିବା ପାଇଁ ମଧ୍ୟ ସମୟ ପାଇନଥିଲେ। ସ୍ନେହାଶ୍ରୀ ପିଲା ମାନଙ୍କ ସୁରକ୍ଷା ପାଇଁ ନିଜ ସୁରକ୍ଷାକୁ ଭ୍ରୁକ୍ଷେପ ନକରି ସେମିତି ବିନା ସୁରକ୍ଷା ସରଞ୍ଜାମ ବିନା ଆଗେଇ ଯାଇଥିଲେ ସାପ ଉଦ୍ଧାର ପାଇଁ । ଦୁଇଜଣ ଝିଅ ଦଉଡ଼ି ଯାଇ ମଶାରୀ ବାଡ଼ ରେ ଲାଗିଥିବା ବାଡି ଖୋଲି ସ୍ନେହାଶ୍ରିଙ୍କ ହାତକୁ ବଢେଇ ଦେଇଥିଲେ । ଆଉ ଜଣେ ଗୋଟେ ପ୍ଲାଷ୍ଟିକ ଡବା ଆଣି ସ୍ନେହାଶ୍ରୀଙ୍କୁ ଦେଇଥିଲେ ।
ପ୍ରଥମେ ହଷ୍ଟେଲ ଭିତରେ ପଶିଥିବା ନାଗ ସାପକୁ ହାତରେ ଧରି ମଶାରୀ ବାଡ଼ି ସାହାଯ୍ୟରେ ଟେକି ପ୍ଲାଷ୍ଟିକ ଡବା ଭିତରେ ଭର୍ତ୍ତି କରି ଦେଇଥିଲେ । ଏକ ଛୁରୀ ସାହାଯ୍ୟରେ ଡବାରେ କିଛି କଣା କରି ସାରିବା ପରେ, ଡବାକୁ ସୁରକ୍ଷିତ ଭାବରେ ରଖି, ହଷ୍ଟେଲ ଫାଟକ ନିକଟକୁ ଧାଇଁ ଯାଇ ଥିଲେ । ସେଠି କିନ୍ତୁ ଯେଉଁ ସାପ ଥିଲା ତାହା ନାଗ ସାପ ଠାରୁ ମଧ୍ୟ ଅଧିକ ବିଷଧର, ଏକ ଚିତି ସାପ । କଳା ରଙ୍ଗର ଶରୀର ଉପରେ ଧଳା ଧଳା ରଙ୍ଗର ଗାର ପଡ଼ିଥିବା ଚିତି ସାପ ମାନେ ରାତ୍ରୀଚର ହୋଇଥିବାରୁ ସ୍ନେହାଶ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା । ଚିତି ସାପଟିକୁ ଅତି ସତର୍କତାର ସହିତ ଅନ୍ୟ ଏକ ଡବାରେ ଭର୍ତ୍ତି କରିଥିଲେ ସ୍ନେହାଶ୍ରୀ । ତେବେ ଶୋଇବା ପର୍ଯ୍ୟନ୍ତ ନୂଆ ଦିଦିଙ୍କ ବୀରତ୍ଵ କାରନାମା କୁ ନେଇ ଛାତ୍ରୀ ମାନଙ୍କର ଭିତରେ ବେଶ୍ କିଛି ସମୟ ଆଲୋଚନା ଚାଲି ଥିଲା । ସବୁ ଝିଅଙ୍କ ପାଇଁ ନୂଆ ଦିଦି କିନ୍ତୁ ହିରୋ ପାଲଟି ଯାଇଥିଲେ ।ସାପ ଦୁଇଟିକୁ ଆଜି ସକାଳେ ହଷ୍ଟେଲ ଠାରୁ ବେଶ୍ କିଛି ଦୂରରେ ନେଇ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ ସ୍ନେହାଶ୍ରୀ ।
ସ୍କୁଲ୍ ର ପ୍ରଧାନ ଶିକ୍ଷକ ମନୋଜ କୁମାର ଲଉଡ଼ିଆ ଏନେଇ କହିଛନ୍ତି ସ୍ନେହାଶ୍ରୀ ଆମ ସ୍କୁଲକୁ ବଦଳି ହୋଇ ଆସିବା ବେଳେ ମୁଁ ତାଙ୍କ ବିଷୟରେ ଅଳ୍ପେ ବହୁତେ ଶୁଣି ଥିଲି । କିନ୍ତୁ ଏତେ ଶୀଘ୍ର ଯେ ସେ ଆମ ପିଲା ମାନଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟି ଯିବେ, ସେଇଟା ମୋର ଧାରଣା ନଥିଲା । ମୁଁ ସ୍ନେହାଶ୍ରୀଙ୍କୁ ଧନ୍ୟବାଦ ଦେଉଛି ।
ସୂଚନାଯୋଗ୍ୟ ସ୍ନେହାଶ୍ରୀ ଇତି ଅବସରରେ ରାଜ୍ୟର ଅଗ୍ରଣୀ ସାପ ଉଦ୍ଧାରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟତା ମଧ୍ୟ ଗ୍ରହଣ କରିଛନ୍ତି । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ସ୍ନେହାଶ୍ରୀ ଯେ କୌଣସି ସଂସ୍ଥା ପାଇଁ ଜଣେ ସମ୍ପତ୍ତି ହେବେ ସେଥିରେ ସନ୍ଦେହ ନାହିଁ । ଆଗକୁ ମାଲକାନଗିରିରେ ଶିକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ସାପ ଏବଂ ସାପ କାମୁଡ଼ା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ନେହାଶ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରିଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ