ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ଓଡ଼ିଶା ହସ୍ତତନ୍ତର ଅନ୍ଲାଇନ୍ ବ୍ୟବସାୟିକ ପ୍ଲାଟ୍ଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ କରାଯାଇଛି ।
ଏବର୍ଷ ‘ଆର୍ଟସ ଅଫ୍ ଉଇଭିଂ’ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି। ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି ।
ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲ୍ୟୁ ପକ୍ଷରୁ ଏରି ସିଲ୍କର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ ଏହି କୀଟକୁ କୌଣସି ହାନି ନ କରାଯାଇ, ତାକୁ ପୂର୍ଣ୍ଣ ଜୀବନଚକ୍ର ସମାପ୍ତ କରି ବାହାରିବା ପରେ ରେସମକୁ ତିଆରି କରାଯାଏ। ଏହି ମାନବିକ ସମ୍ବେଦନ ଓ ଅହିଂସାର ଧାରାକୁ ଏକ ନୀତିଗତ ବିକଳ୍ପ ହିସାବରେ ବିଶ୍ୱରେ ପ୍ରଚାର କରାଯାଉଛି ।
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଏଓଡବ୍ଲ୍ୟୁ ପକ୍ଷରୁ ପ୍ରଥମ ୫୦ ଜଣ ହସ୍ତତନ୍ତପ୍ରେମୀ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ସହଯୋଗ ପାଇଁ ସଂଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା ଡ. ସୁଜାତା ଦାସ କୃତଜ୍ଞତା ଅର୍ପଣ କରିଥିଲେ । ଏଓଡବ୍ଲ୍ୟୁ ସହ ଯୋଡ଼ି ହୋଇ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କୁ କଳାହାଣ୍ଡିର ହବସପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅତି ଅଳ୍ପ ସମୟ ମଧ୍ୟରେ ଏଓଡବ୍ଲ୍ୟୁ ନିଜର ଗ୍ରାହକ ମଂଚ ସୃଷ୍ଟି କରିପାରିଛି ଏବଂ ଏ ଯାବତ୍ ପର୍ଯ୍ୟାପ୍ତ ପରିମାଣର ସମ୍ବଲପୁରୀ ଇକତ୍ ପାଟ, ଖଣ୍ଡୁଆ, କୋଟପାଡ଼, ବ୍ରହ୍ମପୁର ପାଟ, ଗୋପାଳପୁର ଟସର ଏବଂ ପଟ୍ଟଚିତ୍ର ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ୍ ଗ୍ରାହକମାନଙ୍କ ନିକଟରେ ପହଂଚାଇ ସେମାନଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ଅବସରରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟସର ଓ କୋଟପାଡ଼ ବ୍ଲେଜର, ଜ୍ୟାକେଟ୍, ବିଚିତ୍ରାପୁରୀ ପାଟର ଲଙ୍ଗ୍ ଜ୍ୟାକେଟ୍ ପ୍ରଦର୍ଶିତ ହୋଇଥିଲା। ଏହି ସବୁ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଂଚାଇବା ନିମନ୍ତେ କମ୍ପାନୀ ପକ୍ଷରୁ ନିଜସ୍ୱ ଡିଜାଇନରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା