କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁରରେ ସମୀକ୍ଷା କରିବେ
ଭୁବନେଶ୍ୱର, ୦୭ ଅଗଷ୍ଟ (ହି.ସ)- ଆସନ୍ତାକାଲି ଅଗଷ୍ଟ ୮ ତାରିଖରୁ ପାଂଚଦିନ ଯାଏଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୫ଟି ଜିଲ୍ଲା - କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋଟିଆ ଗସ୍ତ କରି କୋଟିଆ ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ଏହା ସହ ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡିକର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡିକର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା