ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ସୁଦୂର ଦୁବେଇ ଠାରେ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ଭାରତ ସଂସ୍କୃତି ଯାତ୍ରାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନିଜର କମାଲ୍ ଦେଖାଇଛନ୍ତି ବଲାଙ୍ଗିରର ଝିଅ ପ୍ରିୟଂଶା । ସୋଲୋ ଓଡ଼ିଶୀ ଡେନ୍ସ ଓ ସୋଲୋ ଫୋକ୍ ଡେନ୍ସ ରେ ନିଜର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ପ୍ରିୟଂଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ବଲାଙ୍ଗିର ର ନାଁ କୁ ଉଜ୍ୱଳ କରିପାରିଛନ୍ତି l ଦୁବାଇ ପାଇଁ ଭାରତର ହାଇକମିଶନର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରିୟଂଶାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ବଲାଙ୍ଗିର ସହର ଉଦୟ ନଗର ନିବସୀ ଉତ୍କଳ କୁମାର ସାହୁ ଓ ମାତା ଦିପୀକା ସାହୁଙ୍କ ଝିଅ ପ୍ରିୟଂଶା ବଲାଙ୍ଗିର ସି ଏନ୍ ସି କଲେଜର ବାଣିଜ୍ଯ ବିଭାଗର ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ କଲେଜର ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି l ଏଥିସହ ପ୍ରିୟଂଶା ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ, ଭଂଜ କଳା ମଣ୍ଡପ, ପୁରୀ ସମେତ ଲକ୍ଷ୍ନୋ ଓ ଆସାମର ଦିବୃଗଡ଼ରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପ୍ରଶଂସାଭାଜନ ହୋଇପାରିଛନ୍ତି l ଅନ୍ତର୍ଜାତୀୟ ସ୍ତରରେ ପ୍ରିୟଂଶାଙ୍କ ଏହି କୃତିତ୍ଵ ପାଇଁ ତାଙ୍କୁ ବଲାଙ୍ଗିର ସି ଏନ୍ ସି କଲେଜ ର ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ