ଜୟପୁର, ୧୩ ସେପ୍ଟେମ୍ବର (ହି.ସ.)- ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚାର ତତ୍ୱାବଧାନରେ ସମସ୍ତ ଭାରତୀୟଙ୍କ ମତାଧିକାରର ମୌଳିକ ଅଧିକାର, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା, ସମସ୍ତଙ୍କ ମୌଳିକ ଏବଂ ସାମ୍ବିଧାନିକ ଅଧିକାର ପାଇଁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟୀ କଲେକ୍ଟରଙ୍କୁ ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ପ୍ରଦତ ଏହି ଦାବିପତ୍ରରେ ପଛୁଆ ବର୍ଗ ବା ଓବିସି ଏବଂ ସମସ୍ତ ଜାତି ସମୂହର ଜନଗଣନା କରିବା, ବେରୋଜଗାରୀ ଯୁବ ପିଢ଼ିଙ୍କୁ ନିଯୁକ୍ତି ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବା, ରାଜ୍ୟରେ ବୈଷୟିକ ଶିକ୍ଷା, ମେଡ଼ିକାଲ୍ ଶିକ୍ଷାରେ ଆଦିବାସୀଙ୍କୁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କୁ ୧୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କୁ ୫୨ ପ୍ରତିଶତ ସଂରକ୍ଷଣ ତୁରନ୍ତ ଦେବା, କଳକାରଖାନା ଗୁଡ଼ିକରେ ଠିକାଦାରଙ୍କ ଅଧିନରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଚୁକ୍ତି ଭିତିକ ବା ଠିକା ନିଯୁକ୍ତି ବନ୍ଦ କରି ସ୍ଥାୟୀ ଭିତିରେ ନିଯୁକ୍ତି ଦେବା ଭଳି ୨୨ ଦଫାର ଏକ ପତ୍ର ପ୍ରଦାନ କରାଯାଇଛି ।
ଏହି ଦାବିପତ୍ର ପ୍ରଦାନ ବେଳେ କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ମଦନ ମୋହନ ନାୟକ, ରାଜ୍ୟ ସଭାପତି ରାଜେନ୍ଦ୍ର କୁମାର ଗୌଡ଼, ଉପସଭାପତି ଚନ୍ଦ୍ରକାନ୍ତ ସୂତାର, ଅମିତ ମହାପାତ୍ର, ନିକୁଞ୍ଜ ରଂଜନ ମହାନ୍ତି, ସଦନ ଖରା, ଲକ୍ଷ୍ମଣ ସିଂଗାର୍ବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି