ନନ୍ଦପୁରର ସାର୍ବଜନୀନ ଦୁର୍ଗାପୂଜା ୭୭ ବର୍ଷରେ ପଦାର୍ପଣ କଲା
ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ତିହିଡ଼ି ବ୍ଲକ ଅଚକ ପଂଚାୟତର ନନ୍ଦପୁର ବଜାରରେ ସାର୍ବଜନୀନ ଦୂର୍ଗାପୂଜା ଆଜକୁ ୭୭ ବର୍ଷ ହେଲା ପାଳିତ ହୋଇଆସୁଛି। ଏହି ପୂଜା ପ୍ରଥମେ ୧୯୪୮ ମସିହାରେ ତାଳପଦାର ଜମିଦାର ଇନ୍ଦ୍ରମଣି ମହାପାତ୍ର ଆରମ୍ଭ କରିଥିଲେ। ୧୯୫୦ ମସିହା ପର୍ଯ୍ୟନ୍ତ ଏକ କୁଡ଼ିଆ ଘରେ ମା’ଙ୍କର ପୂଜାର
NANDAPUR DURGAPUJA


ଭଦ୍ରକ, ୧୩ ସେପ୍ଟେମ୍ବର (ହି.ସ.) - ତିହିଡ଼ି ବ୍ଲକ ଅଚକ ପଂଚାୟତର ନନ୍ଦପୁର ବଜାରରେ ସାର୍ବଜନୀନ ଦୂର୍ଗାପୂଜା ଆଜକୁ ୭୭ ବର୍ଷ ହେଲା ପାଳିତ ହୋଇଆସୁଛି। ଏହି ପୂଜା ପ୍ରଥମେ ୧୯୪୮ ମସିହାରେ ତାଳପଦାର ଜମିଦାର ଇନ୍ଦ୍ରମଣି ମହାପାତ୍ର ଆରମ୍ଭ କରିଥିଲେ। ୧୯୫୦ ମସିହା ପର୍ଯ୍ୟନ୍ତ ଏକ କୁଡ଼ିଆ ଘରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା। ପରେ ସ୍ୱର୍ଗତ ରବି ଭୋଇ, ବାଇଧର ପତି, ବାଞ୍ଝାନିଧି ଭୋଇ, ଗୟାଧର ଜେନା ଏବଂ ବାଇଧର ନାୟକଙ୍କ ଉଦ୍ୟମରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ସର୍ବଜନୀନ ଦୁର୍ଗାପୂଜା ଆରମ୍ଭ କରାଯାଇଥିଲା। ସେତେବେଳେ ଏମାନେ କଟକରୁ କାରିଗର ଶ୍ରୀଧର ରଣାଙ୍କୁ ଆଣି ମା’ଙ୍କର ମୃଣ୍ମୟ ମୂର୍ତି ତିଆରି କରୁଥିଲେ। ମା’ଙ୍କୁ ସ୍ଥାନୀୟ ଅଂଚଳର ପ୍ରାୟ ୩୦ଖଣ୍ଡ ଗାଁର ଲୋକେ ପ୍ରତ୍ୟକ୍ଷ ଦେବୀ ବୋଲି ମାନିଆସୁଛନ୍ତି। ଏମାନଙ୍କର ବିପଦଆପଦରେ ମା’ ଆପେଆପେ ଆସି ଛିଡ଼ାହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏପରିକି ପାଖ ଅଞ୍ଚଳର ଯେ କେହିଲୋକ ଗାଁ ଛାଡ଼ି ସହରକୁ ଯାଏ ବା ଆସେ ଅବା ବହୂଭୁଆଶୁଣି ଓ ଝିଅମାନେ ବାପଘର କିମ୍ବା ଶ୍ୱଶୁର ଘରକୁ ଯିବାପାଇଁ ବାହାରିଲେ ଆଗ ମା’ଙ୍କ ପୀଠକୁ ଦର୍ଶନକରି ଯାଆନ୍ତି। ପୂଜା ସମୟ ବାଦେ ଅନ୍ୟସମୟରେ ଦେବୀଙ୍କ ପ୍ରତିମା ମନ୍ଦିରରେ ନଥିଲେ ମଧ୍ୟ ମା’ଙ୍କ ଖାଲିପଡ଼ିଥିବା ଆସ୍ଥାନକୁ ମୁଣ୍ଡିଆମାରି ସେମାନେ ଶୁଭମନାସି ଯାଇଥାନ୍ତି। ଏଠାକାର ପୂଜାବିଧି ବି ନିଆରା। ପ୍ରତ୍ୟେକବର୍ଷ ମା’ଙ୍କ ମୃଣ୍ମୟ ମୂର୍ତିତିଆରି ପାଣି ଗଣେଶ ଚତୁର୍ଥୀରୁ ମାଟିଉଠା ଏବଂ ରାଧାଷ୍ଟମୀରେ ଏକମାଟିଆ ଓ ମହାଳୟାରେ ଖଡ଼ିଚଢ଼ା ଓ ରଙ୍ଗକାର୍ଯ୍ୟ କରାଯାଇଥାଏ। ମା’ଙ୍କ ଆବାହନ କାଳରୁ ଏଠାରେ ପୂଜା ସମୟରେ ମା’ଙ୍କ ନିକଟରେ କଖାରୁ ବଳି ପ୍ରଥା ରହିଆସିଛି। ତେବେ ଏହି ପ୍ରତ୍ୟକ୍ଷ ଦେବୀଙ୍କର ଅଲୌକିକ ମହିମା ନିଆରା। ୧୯୯୦ ମସିହା ପୂଜା ସମୟରେ ପୂଜକଙ୍କ ବ୍ୟତିକ୍ରମ ଯୋଗୁଁ ପୂଜକଙ୍କ ଆସ୍ଥାନ ତଳୁ ନାଗସାପଟିଏ ବାହାରି ଫଣା ଟେକିଥିବା କଥା ଲୋକମୁଖରେ ଶୁଣାଯାଏ। ପୂଜକ ନିଜ ଭୁଲ ବୁଝିପରି ନିଜେ ମାର୍ଜନା ହୋଇ ମା’ଙ୍କୁ ଶାନ୍ତ କରାଇବା ପରେ ନାଗ ଦେବତା ଉଭେଇ ଯାଇଥିଲେ। ତେବେ ଅନ୍ୟ ଏକ ଅଲୌକିକ ଘଟଣା ହେଲା ଏକଦା ଜନୈକ ଘାତକ ଛେଳିଟିଏ ମାରିବାକୁ ନେଇଥିଲାବେଳେ ଛେଳିଟି ଘାତକର ହାତରୁ ଖସିଆସି ସିଧା ମା’ଙ୍କ ମନ୍ଦିର ବେଢ଼ାରେ ପହଞ୍ôଚଥିଲା। ମା’ଙ୍କ ଦୈବୀକୃପାରୁ ଏହି ଛେଳିଟି ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚିଯାଇଥିବାରୁ ଘାତକ ଛାଡ଼ି ପଳାଇଯାଇଥିଲା। ୫ଦିନ ଧରି ଏଠାରେ ମା’ଙ୍କର ଶରଦୀୟ ପୂଜା ଲାଗିରହେ। ଆକର୍ଷଣୀୟ ତୋରଣ ସାଙ୍ଗକୁ ଲାଇଟର ସାଜସଜ୍ଜା ମଧ୍ୟରେ ପ୍ରତିଦିନ ହଜାରହଜାର ଲୋକ ଏଠାରେ ମା’ଙ୍କୁ ଦର୍ଶନ କରିବାସହ ଅନ୍ନପ୍ରସାଦ କରାଯାଇଥାଏ। ଗତବର୍ଷ ଠାରୁ ପଲିଥିନ୍‌ରେ ଭୋଗ ନନେବା ପାଇଁ କମିଟି ପକ୍ଷରୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଚଳିତବର୍ଷ ପଲିଥିନରେ ଭୋଗ ନ ଆଣି ଭୋଗପାତ୍ରରେ ଆଣିବାପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଅଛି। ଏହି ଶାରଦାୟ ପୂଜା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଚଳିତବର୍ଷ କମିଟିର ସଭାପତି ଓ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର ନାୟକ, ସମ୍ପାଦକ କମଳାକାନ୍ତ ସାହୁ, ମୁଖ୍ୟଉପଦେଷ୍ଟା ସୂର୍ଯ୍ୟନାରାୟଣ ଭୋଇ, ଆଇନଜୀବୀ ନିକୁଞ୍ଜ ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କମିଟିର ସଭ୍ୟସଭ୍ୟାମାନେ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ସାର୍ବଜନୀନ ଦୁର୍ଗାପୂଜାରେ ସ୍ଥାନୀୟ ଅଂଚଳର ସମସ୍ତ ବ୍ୟକ୍ତି ସହଯୋଗ କରିଥାନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande