ସମ୍ବଲପୁର, ୧୩ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱିନ କୃଷ୍ଣପକ୍ଷ ରବିବାର ମୁଳାଷ୍ଟମୀରୁ ଷୋହଳ ପୂଜା ଆରମ୍ଭ ହେବ । ଷୋହଳ ପୂଜା ପାଇଁ ଶନିବାର ଦିନ ସନ୍ଧ୍ୟାରେ ମନ୍ଦିର ପୂଜକ ବାସୁଦେବ ଭୋଇ, ସୁଦାମ ପ୍ରଧାନ ଏବଂ ଦେବୀ ପ୍ରସାଦ ଭୋଇ ମା ରାମଚଣ୍ଡୀଙ୍କୁ ନୂତନ ବସ୍ତ୍ର ପରିଧାନ ସହ ଶୃଙ୍ଗାର କରାଯାଇଥିଲା । ମୂଳାଷ୍ଟମୀ ରବିବାର ଦିନ ସକାଳୁ ଦେବୀଙ୍କୁ ସ୍ନାନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହେବ ବୋଲି ପୁଜକ ପ୍ରକାଶ କରିଛନ୍ତି । ଷୋହଳ ପୂଜାର ପ୍ରଥମ ଦିନରେ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜା ପରେ ଶ୍ରୀ ଗଣେଶଙ୍କ ପୂଜା କରାଯିବ । ଷୋହଳ ଦିନ ପ୍ରତିଦିନ ଦେବା ଦେବୀଙ୍କର ବିଶେଷ ପୂଜା କରାହେବ । ଷୋହଳ ପୂଜାର ଅନ୍ତିମ ଦିନ ଅର୍ଥାତ ୨୯ ତାରିଖ ମହାଷ୍ଟମୀ ଦିନ ରାମଚଣ୍ଡୀଙ୍କ ବିଶେଷ ପୂଜା ସହ ସମାପନ ହେବ । ମହାଷ୍ଟାମୀ ଦିନ ରାମଚଣ୍ଡୀ ସେବା ସଦନର ପ୍ରତିଷ୍ଠା ଦିବସ ହୋଇଥିବାରୁ ଏଥିପାଇଁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ନେଇ କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ୨୨ ତାରିଖରୁ ନବରାତ୍ର ଅବସରେ ଭକ୍ତ ମାନଙ୍କର ମାନସିକ ଦୀପ ବସାଇବାର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ୯ ଦିନ, ୩ ଦିନ ଏପରିକି ଗୋଟିଏ ଦିନ ପାଇଁ ନିଜ ପରିବାର ପାଇଁ ମାନସିକ ଅଖଣ୍ଡ ଦୀପ ବସାଇ ପାରିବେ ।
୨ ଅକ୍ଟୋବର ଦଶମୀ ଦିନ ପ୍ରସାଦ ସେବନ, ଅକ୍ଟୋବର ୫ ତାରିଖ ଅଶ୍ୱିନ ଚତୁର୍ଦ୍ଦଶୀ ସନ୍ଧ୍ୟାରେ ରଣେଶ୍ୱର ରାମଚଣ୍ଡୀ ଙ୍କର ବିଶେଷ ପୂଜା ସହ ଝଣ୍ଡା ଲଗାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ