ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଜିସଟି ସଂସ୍କାର ୨.୦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି । ଆସନ୍ତା ୨୨ ତାରିଖରୁ ଲାଗୁ ହେବା ପାଇଁ ଯାଉଥିବା ନୂତନ ଜିଏସଟି ସ୍ଲାବ ସମସ୍ତ ବର୍ଗବିଶେଷଙ୍କ ମନରେ ଖୁସି ଆଣିଦେଇଛି । ଏହି ସଂସ୍କାର ଦ୍ୱାରା ସାଧାରଣ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ ଏବଂ ସମସ୍ତଙ୍କୁ ଆଶ୍ୱସ୍ଥି ଆଣିଦେଇଛି । ଗାଁରୁ ସହର ପର୍ଯ୍ୟନ୍ତ ଦେଶର ଗରୀବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗଙ୍କ ଅର୍ଥନୀତିକୁ ବଳ ମିଳିବ । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୁବକ, ମହିଳାମାନେ ଆର୍ôଥକ ସଶକ୍ତ ହେବେ । କ୍ଷୁଦ୍ର, ମଧ୍ୟମ ଶିଳ୍ପକୁ ଭଲ ଫାଇଦା ମିଳିବ । କୃଷକଙ୍କ ଅର୍ଥନୀତି ଆହୁରି ସୁଦୃଢ ହେବ । ହସ୍ତତନ୍ତ୍ର ଶିଳ୍ପ ସୁଦୃଢ ହେବ । ସ୍ୱାସ୍ଥ୍ୟ ବୀମାରେ ଟିକସକୁ ଶୂନ୍ୟ କରାଯାଇଥିବାରୁ ସାଧାରଣ ବର୍ଗବିଶେଷ ସର୍ବାଧିକ ଉପକୃତ ହେବେ । ଦେଶର ପ୍ରତିରକ୍ଷା ଭିତିଭୁମି ଆହୁରି ଅଧିକ ସୁଦୃଢ ହେବା ସହିତ ପତିରକ୍ଷା ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ । ବାସ୍ତବରେ ଆତ୍ମନିର୍ଭରଶୀଳ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯାଇଥିବା ଏହି ଜିଏସଟି ସଂସ୍କାର ଦ୍ୱାରା ଓଡିଶା ଭଳି ରାଜ୍ୟର ଇକୋସିଷ୍ଟମ ସୁଦୃଢ ହେବା ସହିତ ତ୍ୱରାନ୍ୱିତ ହେବ ବୋଲି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶିଂହ କହିଛନ୍ତି ଯେ, ଗତ କଂଗ୍ରେସ / ୟୁପିଏ ଶାସନ କାଳରେ ୨୮ ପ୍ରକାରର ଟିକସ ବୋଝ ଦେଶବାସୀଙ୍କ ଉପରେ ଲଦି ଦିଆଯାଇଥିଲା । ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ପ୍ରଥମ ଜିଏସଟି ସଂସ୍କାରରେ ୨୮ ପରିବର୍ତେ ୪ଟି ସ୍ଲାବ (୫, ୧୨, ୧୮ ଓ ୨୮ ପ୍ରତିଶତ) ଟିକସ ବ୍ୟବସ୍ଥା ଆଣିଥିଲେ । ବର୍ତମାନ ପୁଣୀ ଥରେ ସଂସ୍କାର ଅଣାଯାଇ ମାତ୍ର ୨ଟି ସ୍ଲାବ (୫ ଓ ୧୮ ପ୍ରତିଶତ) ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି । କଂଗ୍ରେସ ଶାସନ ଅମଳରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ଷୀରଠାରୁ ଆରମ୍ଭ କରି ପେଷ୍ଟ, ସାବୁନ, ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପେନସିଲ, କଂପାସ ଏବଂ କୃଷି ଯନ୍ତ୍ରପାତି ଭଳି ଦ୍ରବ୍ୟରେ ଅତ୍ୟାଧିକ ଟିକସ ଲାଗୁ କରାଯାଇଥିଲା । ବର୍ତମାନ ଏହି ସବୁ ଦ୍ରବ୍ୟ ଉପରେ ଟିକସ ହ୍ରାସ ପାଇଛି । କେନ୍ଦୁ ପତ୍ର ଉପରେ ଜିଏସଟି ସ୍ଲାବ ୧୮ ରୁ ୫ ପ୍ରତିଶତକୁ ହ୍ରାସ ପାଇବା କାରଣରୁ ଓଡିଶାର କେନ୍ଦୁପତ୍ର ତୋଳାଳିମାନେ ଉପକୃତ ହେବେ । ସେହି ଭଳି ସୁତା ଉପରେ ଜିଏସଟି ୧୨ ରୁ ୫ ପ୍ରତିଶତକୁ ହ୍ରାସ ପାଇବା କାରଣରୁ ଓଡିଶାର ବୁଣାକାର ଭାଇଭଉଣୀମାନେ ଲାଭବାନ ହେବେ ଏବଂ ଓଡିଶା ତିଆରି ବସ୍ତ୍ରର ବ୍ୟାପକତା ବୃଦ୍ଧି ପାଇବ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ବିଭିନ୍ନ କୃଷି ଉପକରଣ ଯଥା, ଟ୍ରାକ୍ଟର ଓ ଏହାର ଯନ୍ତ୍ରାଂଶ, ଟ୍ରାକ୍ଟର ଟାୟାର ଉପରେ ଟିକସ ହାର ହ୍ରାସ ପାଇବା କାରଣରୁ କୃଷି ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ କୃଷକ ଭାଇଭଉଣୀମାନଙ୍କ ଅର୍ଥନୀତି ଆହୁରି ସୁଦୃଢ ହେବ । ଟିଭି, ଫ୍ରିଜ, ମୋଟରସାଇକଲ, କାର ଆଦି ଶସ୍ତା ହେବ । ଔଷଧ, ଦୁଗ୍ଧଜାତ ଦ୍ରବ୍ୟ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡିକୁ ଜିଏସଟି ଟିକସରୁ ବାଦ ଦିଆଯାଇଛି । ୨୦୨୪-୨୫ ଆର୍ôଥକ ବର୍ଷରେ ଜିଏସଟି ଜରିଆରେ ୨୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଭାରତ ସରକାରଙ୍କ ଖାତାକୁ ଆସିଥିଲା । ଏହି ସଂସ୍କାର ଦ୍ୱାରା ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ୪୮ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ଭାରତ ସରକାର ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିସାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ବିଶେଷ ଭାବେ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ହେବା ପରେ ରାଜ୍ୟର ଭିତିଭୁମି ବିକାଶ ତ୍ୱରାନ୍ୱିତ ହୋଇଛି । ଏଥି ସହ ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ଶିଳ୍ପ, ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ଗରୀବ, ଯୁବ, କୃଷକ, ମହିଳାଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଏଭଳି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ, ବୁଦ୍ଧିଜୀବି ସମ୍ମିଳନୀ ଜରିଆରେ ନୂତନ ଜିଏସଟି ସଂସ୍କାରର ସୁଫଳକୁ ଲୋକଙ୍କ ପାଖରେ ପହଂଚାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ସାଂସଦ ରବି ନାରାୟଣ ବେହେରା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା