ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଜେଟି ନିର୍ମାଣକୁ ନେଇ ଅଂଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଆଶା କେବେ ସଫଳ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଅମରନଗର ମୌଜାରେ ଖାତା ନଂ ୧୧୯(ରକ୍ଷିତ),ପ୍ଲଟ ନଂ ୩୨୦ରେ ଏ୨.୦୦କର ସ୍ଥାନ ଚିହ୍ନଟ ହୋଇଥିଲା। ଏହି ଜମିର କିସମ ଆଡି ହୋଇଥିବା ବେଳେ ଏହାର କିଷମ ପରିବର୍ତନ ପରେ ଏହି ସ୍ଥାନରେ ନୂତନ ଜେଟି ନିର୍ମାଣ ପାଇଁ ଆଶା ଉଜ୍ଜୀବୀତ ହୋଇଥିଲା। ବନବିଭାଗ,ପ୍ରତିରକ୍ଷା ,ସିଆରଜେଡ, ଏନଜିଟି ର ସବୁଜ ସଙ୍କେତ ପରେ ଚନ୍ଦନୀପାଳ ଏବଂ କେନ୍ଦ୍ରାପଡା ଜିଲ୍ଲାର ୫ହଜାର ମତ୍ସ୍ୟଜିବୀଙ୍କ ପରିବାରର ଆଶା ସଫଳ ରୂପାୟନ ହେବ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ।ଏହି ନୂତନ ଜେଟି ନିର୍ମାଣ ପାଇଁ ୨୦୨୧ ମସିହାରେ ଚେନ୍ନାଇ ଆଇ ଆଇ ଟି ର ଏକ ୪ଜଣିଆ ବୈକ୍ଷୟିକ ଟିମ ପ୍ରକଳ୍ପ ମୁଖ୍ୟ ଆର ରଘୁଲ ଙ୍କ ନେତୃତ୍ୱରେ ଆସି କ୍ଷେତ୍ରୀୟ ପରିଦର୍ଶନ କରିଥିଲେ ଏବଂ ଚନ୍ଦନୀପାଳ ଏବଂ ଗଭୀର ସମୁଦ୍ରର ସ୍ଥିତିକୁ ନିରୀକ୍ଷଣ କରିବା ସହ ଏଠାରେ ସମୁଦ୍ରର ଜୁଆର ଭଟ୍ଟା ଦେଖିବା ସହ ଉପଗ୍ରହ ମାଧ୍ୟମରେ ସମସ୍ତ ଅନୁସନ୍ଧାନ କରି ଏହାର ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗକୁ ପ୍ରଦାନ କରିଥିଲେ।ପୁନଶ୍ଚ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ ନାମକ ଏକ ପବ୍ଲିକ ସେକ୍ଟର ୟୁନିଟ ଆସି ଏହି ଜେଟି ନିର୍ମାଣର ଅବ୍ୟବହିତ ପୂର୍ବରୁ ସର୍ଭେ କରି ମଧ୍ୟ ଶେଷ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହି ଜମି ଟି ସ୍ପେଶାଲ ଇକନୋମିକ ଜୋନରେ ଅର୍ନ୍ତଭୁକ୍ତ ହେଉଛିକି ନାହିଁ ତାହାର ରିପୋର୍ଟ , ବନବିଭାଗ, ପ୍ରତିରକ୍ଷା ଏବଂ ନ୍ୟାସନାଲ ଗ୍ରୀନ ଟିବ୍ୟୁନାଲ(ଏନଜିଟି)ସହ ସମସ୍ତ ବିଭାଗରୁ ସବୁଜ ସଙ୍କେତ ମିଳିବା ପରେ ମତ୍ସ୍ୟ ବିଭାଗର ଅଧିକାରୀ ଏହି ଜେଟୀର ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଏବଂ ଏହି ଜେଟି ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ଆର୍ଥିକ ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ନିକଟକୁ ପଠାଇଥିଲେ। ହେଲେ ଦୀର୍ଘ ୩ବର୍ଷ ହେବ ଏହାର ଆପ୍ରୁଭାଲ କେନ୍ଦ୍ର ସରକାରଙ୍କ ନାଲି ଫାଇଲ ତଳେ ଚାପି ହୋଇ ରହି ଯାଇଛି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ସରକାର ଆର୍ଥିକ ଅନୁମୋଦନ କରିଥିଲେ ପ୍ରଥମ ପର୍ଯ୍ୟାୟରେ ଏହି ଜେଟୀ ନିର୍ମାଣ ପାଇଁ ୫୦କୋଟି ଟଙ୍କା ରେ ସିମୀତ ରହିବ ଏବଂ ପରେ ମତ୍ସ୍ୟଜିବୀ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂପ୍ରସାରଣ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରାଯିବ ବୋଲି ମତ୍ସ୍ୟ ବିଭାଗ ଜଣେ ଅବସରପ୍ରାପ୍ତ ନିର୍ଦେଶକଙ୍କ ନିକଟରୁ ମତ ପ୍ରକାଶ ପାଇଥିଲା। ମାତ୍ର ଦିନକୁ ଦିନ ପଦ୍ମ ଘୁଂଚି ଘୁଂଚି ଯିବା ପରିସ୍ଥିତିରେ ବର୍ତମାନ ଏହି ଜେଟୀର ସ୍ଥିତି କଣ ତାହା ବିଭାଗୀୟ ଅଧିକାରୀଙ୍କୁ ଜଣା ନାହିଁ ତାଙ୍କ ମତରେ ଏହାର ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠା ଯାଇଥିବା ବେଳେ ଏହାର ଆପ୍ରୁଭାଲ ଏବଂ ଆର୍ଥିକ ଅନୁମୋଦନ ରାଶି ଆସିବା ପରେ ଏହି ଜେଟୀ ଟେଣ୍ଡର ହେବ ମାତ୍ର ଏହା କେବେ ହେବ ତାହାର ଖବର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ବର୍ତମାନ ଶାସକ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ ଏହା ଅର୍ନ୍ତଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସଭାପତି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଟିକିଏ ଆଡ ନୟନରେ ମତ୍ସ୍ୟଜିବୀଙ୍କୁ ଚାହିଁଲେ ଏହି ସମସ୍ୟାର ସମାଧାନ ହେବା ସହ କେବଳ ଅବିଭକ୍ତ ବାଲେଶ୍ୱର ନୁହେଁ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାର ୫ହଜାରରୁ ଅଧିକ ମତ୍ସ୍ୟଜିବୀଙ୍କ ପରିବାର ମୁହଁରେ ବଂଚିବାର ଆଶା ଉଜ୍ଜୀବିତ ହୋଇ ପାରନ୍ତା ବୋଲି ଅଂଚଳବାସୀ ନିଜ ନିଜର ଦାବୀ ଉପସ୍ଥାପନା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ