ବାରିପଦା, ୧୫ ସେପ୍ଟେମ୍ବର (ହି.ସ.)-କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନିକିଆ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ଆସିଛନ୍ତି। ଏହି ଅବସରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି। ସୋମବାର ସକାଳେ ବାରିପଦାରେ ପହଁଚି ଥିବା ବେଳେ ବିଜେପି ନେତା ଓ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଐତିହାସିକ ଛଉ ପଡ଼ିଆର ଉନ୍ନତିକରଣ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ନବ ନିର୍ମିତ ଛାତ୍ରବାସର ଉଦଘାଟନ କରିଛନ୍ତି। ଏହାପରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଅପରାହ୍ନରେ ବାରିପଦା ସ୍ଥିତ ଏମଏସସିବି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଝୁମର କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ। ବାରିପଦା ସ୍ଥିତ ଏମଏସସିବି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦୁଇ ଦିନିଆ ଝୁମର କର୍ମଶାଳାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗେ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ କର୍ମଶାଳା ଉଦଘାଟନ କରିବା ସହ ଝୁମର ନୃତ୍ୟର ଉନ୍ନତି କରିବା ନେଇ ମତପ୍ରକାଶ କରିଛନ୍ତି। କୁଡୁମୀ ସମ୍ପ୍ରଦାୟର ପାରମ୍ପରିକ ଝୁମର ନୃତ୍ୟର ଅନେକ ପରିଚୟ ରହିଛି। ଏହାର ବିକାଶ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଓଡିଶା ଝୁମର ଏକାଡେମୀ ଆଧାରରେ ମୟୁରଭଞ୍ଜ ଜିଲ୍ଲାରେ ଏକ ଝୁମର ନୃତ୍ୟର କେନ୍ଦ୍ର ସ୍ଥାପନ ପ୍ରତିଷ୍ଠା ହେବା ନେଇ ଆଲୋଚନା କରାଯାଇଥିବା ବେଳେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏହା ସହିତ ଜିଲ୍ଲାରେ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ବାରିପଦା ସ୍ଥିତ ଜିଲ୍ଲାର ସର୍ବ ପୁରାତନ ସଂସ୍କୃତ ମହାବିଦ୍ୟାଳୟର ଆଧୁନିକୀକରଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ମୁଖ୍ୟ ବକ୍ତା ଭାବେ ପ୍ରଫେସର କିଶୋର ବସା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମସ୍ତ ବିଧାୟକ, ଜିଲ୍ଲାପାଳ, ଏସପି ଓ ଓଡିଶା ଝୁମର ଏକାଡେମୀ ସଭାପତି ଅବନି ମହାନ୍ତ ଓ ସମ୍ପାଦକ ବସନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଝୁମର କର୍ମଶାଳାରେ ଯୋଗ ଦେବା ପରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ