ବାରିପଦା/ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ଭିତରେ ସଂସ୍କୃତି ଭରି ରହିଛି । ଏଠାରେ ଜନଜାତି ସମୁଦାୟଙ୍କ ମଧ୍ୟରେ ଆଦୃତ ପାରମ୍ପରିକ ଲୋକଗୀତ ‘ଝୁମର’ ଲୋକ ଅସ୍ମିତା, ଲୋକ ଅଭିବ୍ୟକ୍ତିର ପ୍ରତୀକ । ଝୁମର ଏହି ଅଞ୍ଚଳର ସଭ୍ୟତା ଓ ସମ୍ପନ୍ନତାର ପ୍ରତିବିମ୍ବ ବୋଲି ସୋମବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ “ଝୁମର କର୍ମଶାଳା”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଓଡ଼ିଶା ଝୁମର ଏକାଡେମୀ’ ଓ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ’ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଦିଗରେ ହୋଇଥିବା ଲଢେଇରେ ମୟୂରଭଞ୍ଜ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ । ତାଙ୍କର ପୃଷ୍ଠପୋଷକତା କାରଣରୁ ଓଡ଼ିଆ ଭାଷା ସାହିତ୍ୟ ଋଦ୍ଧିମନ୍ତ ହୋଇଛି । କଟକ ଏସସିବି ମେଡିକାଲ କଲେଜ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଉନ୍ନତମାନର ଉଚ୍ଚ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ଅବଦାନ । ମୟୂରଭଞ୍ଜ ନିଜର ଝାଳବୁହା ଅର୍ଥରେ ଜିଲ୍ଲାର ବିକାଶ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶାର ଭାଷା ଓ ସାହିତ୍ୟର ଉତ୍ଥାନ ପାଇଁ ଯୋଗଦାନ ଦେଇଛି । ମୟୂରଭଞ୍ଜ ସର୍ବଦା ପରିବର୍ତ୍ତନଶୀଳ । ମୟୂରଭଞ୍ଜର ଶତାବ୍ଦୀ ଶତାବ୍ଦୀ ପୁରୁଣା ତାଳପୋଥି ହରିଦ୍ୱାରରେ ସଂଗୃହିତ ହୋଇଛି, ଯାହା ଜିଲ୍ଲାର ଭବ୍ୟତା ଓ ଗଭୀରତାକୁ ଦର୍ଶାଉଛି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜକୁ ଗୌରବାନ୍ୱିତ କରିଛନ୍ତି । ଆମର ସମସ୍ତଙ୍କ ଦାୟିତ୍ୱ, ଏହି ଜିଲ୍ଲାର କଳା, ଐତିହ୍ୟ ଓ ଇତିହାସକୁ ଶ୍ରୀମନ୍ତ କରିବା । ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ହେବ । ବେଦ ଅଧ୍ୟୟନକୁ ବୁଝିବାକୁ ହେଲେ ପୁନଃସଂସ୍କୃତି ଶିକ୍ଷାର ଉତଥାନ କରିବାକୁ ହେବ । ଝୁମର ଓ ଛଉ ଭଳି ଲୋକଗୀତ ଓ ନୃତ୍ୟକୁ ବିଶ୍ୱବିଦିତ କରିବା ପାଇଁ ଯୋଜନା କରିବାକୁ ହେବ । ତେବେ ଯାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନ ବାସ୍ତବର ରୂପ ନେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଇନଡୋର ଷ୍ଟାଡିୟମ ଓ ଚିକିତ୍ସାଳୟର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କର୍ମଶାଳାରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲାର ବିଧାୟକ ଏବଂ ଓଡ଼ିଶା ଝୁମର ଏକାଡେମୀର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।
........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା