କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ହାଇସ୍କୁଲ ରାମଚନ୍ଦ୍ରପୁର ଖେଳପଡିଆରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ଏବଂ ସତରଞ୍ଜ ଖେଳ ର ପ୍ରତିଯୋଗିତା ଶୁଭାରମ୍ଭ ହୋଇସାରିଛି। ପ୍ରଧାନଶିକ୍ଷକ ଶତ୍ରୁଘନ ସାହୁ ସମ୍ୟକ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଉପସ୍ଥିତ ଥିଲେ। ଏହି ଉଲ୍ଲାଖନୀୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିଙ୍କ ମଧ୍ୟରେ ବିକାଶ ବିଭାଗୀୟ ଅଧିକାରୀ ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ କୁମାର ସାହୁ ବିଡିଓ ଶ୍ରୀମତୀ ବିନୀତା ବିଜୟନୀ, ବ୍ଲକ ଶିକ୍ଷା ଅଧୂକାରୀ ଶ୍ରୀ ସଦ୍ୟସ୍ମାତ ପଣ୍ଡା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏଡିଓ ଶ୍ରୀକାନ୍ତ ବେହେରା ଉପସ୍ଥିତ ଥିଲେ। ଉଦଘାଟନୀ ସମୟରେ ମୁଖ୍ୟ ଅତିଥି ଏବଂ ଅନ୍ୟ ପଦାଧିକାରୀଗଣ ଖେଳାଳିମାନଙ୍କୁ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଉତ୍ସାହିତ କରି କ୍ରୀଡ଼ାର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତିଯୋଗିତା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟପୂର୍ଣ୍ଣ ପ୍ରତିଦ୍ବନ୍ଦିତା ଏବଂ କ୍ରୀଡ଼ା ଭାବନାର ପ୍ରସାର ଘଟାଇବାର ଲକ୍ଷ୍ୟ ରଖୁଛି । ଉଭୟ ଭଲିବଲ୍ ଏବଂ ସତରଞ୍ଜ ଖେଳରେ ଯୁବପିଢ଼ିର ମାନସିକ ଏବଂ ଶାରୀରିକ କୁଶଳତା ବିକାଶ ଘଟିବାର ଆଶା କରାଯାଇଛି। ସମସ୍ତ ପ୍ରତିଯୋଗିତା ଲକ୍ଷ୍ମୀନାରାୟଣ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି। ଏହା ଆଗାମୀ କିଛି ଦିନ ଧରି ଚାଲିବ ବୋଲି ସୁଚାରୁ ପରିଚାଳନା ଶିକ୍ଷକ ଅର୍ଜୁନ ଚରଣ ଗାହଣ ଜଣାଇଛନ୍ତି। ଏହି ଉତ୍ସବ ଯୁବସମାଜର ଶକ୍ତି ଏବଂ ପ୍ରତିଭାକୁ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA