ସମ୍ବଲପୁର, ୧୫ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଖଲିଆପାଲି ଗ୍ରାମର ବିଶ୍ୱରଂଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡାଙ୍କ ପୁଅ ସୋମ୍ୟରଞ୍ଜନ ବଡ଼ପଣ୍ଡା ଦିଲ୍ଲୀରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାରରେ ସମ୍ଭର୍ଦ୍ଧିତ ହୋଇ ଓଡ଼ିଶାକୁ ଗୌରବାନ୍ୱୀତ କରାଇଛନ୍ତି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ ଆୟୋଜିତ ତିନି ଦିନିଆ “ଜ୍ଞାନ ଭାରତମ୍ ଅନ୍ତରାଷ୍ଟ୍ରୀୟ ସେମିନାର”ରେ ଓଡ଼ିଆ ପୁଅ ସୌମ୍ୟରଂଜନ ବଡ଼ପଣ୍ଡାଙ୍କ ଗବେଷଣାତ୍ମକ ପତ୍ର ଉଚ୍ଚ ପ୍ରଶଂସିତ ତଥା ସଂସ୍କୃତି ମନ୍ତ୍ରାଳୟ ତରଫରୁ ସମ୍ମାନିତ ହୋଇଛନ୍ତି। ନିଜର ଗବେଷଣାତ୍ମକ ପତ୍ର ଆଲୋଚନା ସମୟରେ ଶ୍ରୀ ବଡ଼ପଣ୍ଡା ଓଡ଼ିଶାରେ ଗଚ୍ଛିତ ଥିବା ୫୦ ହଜାରରୁ ଅଧିକ ପାଣ୍ଡୁଲିପିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ତନ୍ତ୍ର ବିଦ୍ୟା ଉପରେ ସେ ଆଲୋକପାତ କରିଥିଲେ। ଏହି ଗବେଷଣାତ୍ମକ ପତ୍ରରେ ସହ ଲେଖକ ଥିଲେ ଓଡ଼ିଆ ତନୟା ପଲ୍ଲବୀ ଜେନା । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖୱତଙ୍କ ସମେତ ୨୨ ଟି ଦେଶର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ସୌମ୍ୟରଂଜନ ବଡ଼ପଣ୍ଡା ବର୍ତମାନ ଦିଲ୍ଲୀର 'ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ'ରେ ସଂସ୍କୃତ ସାହିତ୍ୟରେ ଗବେଷଣା କରୁଛନ୍ତି। ସୌମ୍ୟରଞ୍ଜନଙ୍କୁ ଦିଲ୍ଲୀର ସଙ୍ଗୀତ ନାଟକ ଏକାଡେମୀ ନିର୍ଦ୍ଦେଶକ ଡ଼ ସନ୍ଧ୍ୟା ପୁରେଚା ଓ ଦିଲ୍ଲୀ ବିଶ୍ୱବଦ୍ୟାଳୟର ବରିଷ୍ଠ ପ୍ରଫେସର ଡ଼ ଓମନାଥ ବିମିଲି ସ୍ମୃତି ଚିହ୍ନ ସହ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି। ସୋମ୍ୟରଞ୍ଜନ ବଡ଼ପଣ୍ଡାଙ୍କ ଗବେଷଣାତ୍ମକ ପତ୍ର ବେଶ୍ ଲୋକାଦୃତ ହେବା ସହ ବହୁ ଦେଶର ପ୍ରତିନିଧି ମାନେ ମଧ୍ୟ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ