ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)-କୋରାପୁଟ ଜିଲ୍ଲା ଜୟପୁର ପୌର ସଭା ଗୃହରେ ପରିଷଦ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ । ପୌରସଂସ୍ଥା ପ୍ରଶାସନ ଲୋକପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ବେଳେ ସେମାନଙ୍କ ଅଗୋଚରରେ ଉନ୍ନତିମୂଳକ କାର୍ଯ୍ୟ, ଭତ୍ତା ପ୍ରଦାନ, ଆବାସ ଯୋଜନା ପ୍ରଦାନ ପ୍ରଭୃତି ନିଷ୍ପତି ଗ୍ରହଣ କରୁଛନ୍ତି । ଫଳରେ କାଉନସିଲର ମାନେ ସେମାନଙ୍କ ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷର ଶୀକାର ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଏହି ବୈଠକରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ପୌରସଂସ୍ଥା ପକ୍ଷରୁ କାଉନସିଲ ବୈଠକ ନିଷ୍ପତି ଅନୁଯାୟୀ କାର୍ଯ୍ୟ କରିବା ସହ ଉନ୍ନତିମୂଳକ କାର୍ଯ୍ୟରେ କାଉନସିଲର ମାନଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବୈଠକରେ ବିଦ୍ୟୁତ ବିଭାଗ କାର୍ଯ୍ୟକଳାପକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି, ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଏବଂ ଅନ୍ୟାନ୍ୟ କାଉନସିଲର ମାନେ ଅସନ୍ତୋଷ ପ୍ରକୋଟ କରିବା ସହ ସହରରେ କୌଣସି ଗୃହରେ ବିଦ୍ୟୁତ ବିତୋରକ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ମାର୍ଟ ମିଟରକୁ ବାହାର କରିବା ସହ ଆଗାମୀ ଦିନରେ ସହରର କୌଣସି ଗୃହରେ ଉକ୍ତ ସ୍ମାର୍ଟ ମିଟର ସଂଲଗ୍ନ ନ କରିବାକୁ ତାଗିଦ କରିଥିଲେ । ଏହିପରି ବିଦ୍ୟୁତ ବିଭାଗ ଗ୍ରାହକଙ୍କୁ ଠାରୁ ସେବା ନାମରେ ଟଙ୍କା ନେଉଥିଲେ ସୁଦ୍ଧା ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ବାରମ୍ବାର ବିଦ୍ୟୁତ କାଟ, ସହରର ବିଭିନ୍ନ ସାହି ଓ ବସ୍ତିରେ ବିଦ୍ୟୁତ ଖୁଣ୍ଟ ଗୁଡିକ ଭାଙ୍ଗି ଦୟନୀୟ ଅବସ୍ଥାରେ ରହିଥିବା ବେଳେ କିଛି ସ୍ଥାନରେ ରାସ୍ତା ମଧ୍ୟବର୍ତ୍ତୀରେ ରହିଛି । ତେଣୁ ତୁରନ୍ତ ସହରର ଦୟନୀୟରେ ରହିଥିବା ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତନ ପାଇଁ ଉପସ୍ଥିତ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମାନଙ୍କୁ ତାଗିଦ କରାଯାଇଥିଲା । ଆଗାମୀ ଦିନରେ ଟାଟା ପାୱାର କର୍ମଚାରୀଙ୍କୁ ମାଡ଼ ମାରିବାକୁ କାଉନସିଲର ମାନେ ଧମକ ଦେଇଥିଲେ l ଏହିପରି ସହରର ଜୟନଗର ରାସ୍ତା ଏବେ ପଡିରହିଛି ଏହିପରି ମୁଖ୍ୟତଃ ଜୟନଗର ରାସ୍ତା, ଏମ ଜି ରୋଡ଼ ରାସ୍ତାରେ ବିଦ୍ୟୁତ ବିଭାଗର ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ, ଜଙ୍ଗଲ ବିଭାଗର ଆବଶ୍ୟକ ଗଛ କାଟିବା, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଇପ ଲାଇନ ସ୍ଥାନାନ୍ତରିତ ଏବଂ ପରିବର୍ତ୍ତନର ଏବଂ ରାଜସ୍ବ ବିଭାଗ ପକ୍ଷରୁ ଜମି ଜବରଦଖଲ ଉଚ୍ଛେଦ କରାଯାଇନଥିବା ଯୋଗୁଁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି ବୋଲି ଆଲୋଚନା କରାଯାଇଥିଲା । ସମସ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ସମସ୍ୟାର ସମାଧାନ କରାଗଲେ ରାସ୍ତା ନିର୍ମାଣ ଶିଘ୍ର ହୋଇପାରିବ । ତେଣୁ ତୁରନ୍ତ ବିଭାଗ ଗୁଡିକ ପକ୍ଷରୁ ପଦକ୍ଷପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସହରର ବିଭିନ୍ନ ସ୍ଥାନରେ ରହିଥିବା ପୌରସଂସ୍ଥାର ଦୋକାନ ଗୃହ ଜଣେ ବ୍ୟକ୍ତି ନାମରେ ଏକାଧିକ ରହିଛି । କିନ୍ତୁ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କିମ୍ବା ପରିବାର ସଦସ୍ୟ ମାନଙ୍କ ନାମରେ ଗୋଟିଏ ଷ୍ଟଲ ରହିବା ନେଇ କାଉନସିଲ ବୈଠକରେ ପୂର୍ବରୁ ବାରମ୍ବାର ନିଷ୍ପତି ହୋଇଛି । ତେଣୁ ତୁରନ୍ତ ଏକାଧିକ ଷ୍ଟଲ ରହିଥିବା ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ଠାବ କରାଯାଇ ଏକ ତାଲିକା ପ୍ରଦାନ କରିବାକୁ ପୌରସଂସ୍ଥାର କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ପୌରସଂସ୍ଥାର ଏକରୁ ଅଧିକ ରହିଥିବା ଷ୍ଟଲ ଗୁଡିକକୁ ପୁନଃର୍ବାର ପୌରସଂସ୍ଥା ପକ୍ଷରୁ ଫେରାଇ ନିଆଯାଇ ଟେଣ୍ଡର ମାଧ୍ୟମରେ ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ଗାନ୍ଧୀଛକରେ ସୌନ୍ଦର୍ଯ୍ୟକରଣ, ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପରିବା ବିକାଳିଙ୍କ ପାଇଁ ଭେଣ୍ଡିଂ ଜୋନ ଏବଂ ଗତ ମେ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ପରିଷଦ ବୈଠକ ଅନୁଯାୟୀ ୧୮ଟି ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୨୦ ନମ୍ବର ୱାର୍ଡର ମହିଳା କାଉନସିଲର ଶଶିରେଖା ପରଜା ନିଜ ୱାର୍ଡରେ ରହୁଥିବା ସାମୁହିକ ଶୌଚାଳୟ ନିର୍ମାଣ, ଭଗବତୀ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ନିର୍ମାଣ ନେଇ ବାରମ୍ବାର ଲିଖିତ ଭାବେ ଦାବି କରିଥିଲେ ସୁଦ୍ଧା ପୌରସଂସ୍ଥାର ଉନ୍ନୟନ୍ନ ବିଭାଗ ଏହାକୁ ବେଖାତିରି କରୁଛନ୍ତି । ଏହିପରି ଅନ୍ୟାନ୍ୟ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସମାଧାନ ହେଉନାହିଁ ବୋଲି ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ ।ଏହି ବୈଠକରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ପୂଜା ରାଉତ, ଉପାଧ୍ୟକ୍ଷା ବି.ସୁନିତା, ସାଂସଦ ପ୍ରତିନିଧି ହାସାନ ମଦାନୀ, କାଉନସିଲରଯଶପାଲ ସିଂ, ସିମାଞ୍ଚଳ ବିଶୋୟୀ, ଗୋପୀନାଥ ମହାନ୍ତି, ପାର୍ଥ ସାରଥୀ ମଲ୍ଲିକ, ଅଜିତ ବେହେରା, ମଧୁସ୍ମିତା ଓରାନ, ପି.ପଦ୍ନାବତୀ, ପ୍ରତିତି ଗୌଡ, ଦେବରାଜ ଚୌଧୁରୀ, ଏନ. ଲକ୍ଷ୍ମୀ ନାରାୟଣ, ରବିନ୍ଦ୍ର ସାହୁ, ଉଷାରାଣୀ ଦଣ୍ଡସେନା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କାଉନସିଲ, ବିଭାଗିୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି