ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରବାସୀଙ୍କୁ ଠକିଦେଲା ପ୍ରଶାସନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦେଶ ମତେ ନୂଆ କ୍ୟାମ୍ପସକୁ ଜିଲ୍ଲା ହସ୍ପିଟାଲ ଉଠିଗଲା ପରେ ଖାଲିପଡ଼ିଥିବା ପୁରୁଣା ଜିଲ୍ଲା ହସ୍ପିଟାଲକୁ ବନ୍ଦ କରି ନଦେଇ ଲୋକଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ୨୪ଙ୍ଘଟା ସାଟେଲାଇଟ ଚିକିତ୍ସା କେନ୍ଦ୍ର କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ତ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପତ୍ରାଙ୍କ ସଂଖ୍ୟା ୧୫୪୮୦/୨୭.୫.୨୫ ରେ ଭଦ୍ରକ ସିଡିଏମଓଙ୍କ ସହିତ ସ୍ଥାନାନ୍ତର ଯୋଗୁ ଖାଲିପଡୁଥିବା ହେଉଥିବା ଝାରସୁଗୁଡା, କେନ୍ଦ୍ରାପଡା, ସୁବର୍ଣ୍ଣପୁର, ଢେଙ୍କାନାଳ ଏବଂ ଦେଓଗଡ଼ ଜିଲ୍ଲା ହସ୍ପିଟାଲ ଗୁଡିକରେ ଲୋକଙ୍କୁ ୨୪ଙ୍ଘଟା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସେଠାରେ ସାଟେଲାଇଟ ଚିକିତ୍ସା କେନ୍ଦ୍ର କାଯ୍ୟକାରୀ କରିବାକୁ ସିଡିଏମଓ ମାନଙ୍କୁ ନିର୍ଦେଶ ଦେଇଥିଲେ । ତଦନୁଯାଇ ସାଟେଲାଇଟ କେନ୍ଦ୍ର ଗୁଡିକରେ ଅତି କମ ରେ ୧୦ ଶଯ୍ୟା ବିଶିଷ୍ଟ ବେଡ଼ ସୁବିଧା ସହିତ, ଓପିଡି, ଔଷଧ ବିତରଣ କେନ୍ଦ୍ର, ଲାବ୍ରୋଟୋରି ଏବଂ ଡାଇଗ୍ନୋଷ୍ଟିକ ସେବା, ସ୍ଥାଇ ଡାକ୍ତର ଏବଂ ଟେକନିସିଆନ(ଏଲଟିଆରଏମଓ), କେନ୍ଦ୍ରରେ ନିର୍ଦିଷ୍ଟ ଦିବସ ପାଇଁ ସ୍ୱତନ୍ତ୍ର ଭାବେ ମେଡ଼ିସିନ,ଓ ଆଣ୍ଡ ଜି, ସର୍ଜରୀ ଏବଂ ଶିଶୁ ସ୍ୱାସ୍ତ୍ୟ ବିଭାଗ ଡାକ୍ତର ବ୍ୟବସ୍ତା, ରୋଗ ନିରୀକ୍ଷଣ ବ୍ୟବସ୍ତା, ଟେଲି ସ୍ୱାସ୍ତ୍ୟ ସୁବିଧା, ଏନ ଏଚ ଗାଇଡ଼ ଲାଇନ ମୁତାବକ ଯୋଗ, ଫିଜିଓ ଥେରାପି, ପ୍ରତି ୩ ମାସରେ ସ୍ୱତନ୍ତ୍ର ମେଡିକାଲ କ୍ୟାମ୍ପ, ଆଇଇସି ଏବଂ ବିସିସି ବ୍ୟବସ୍ତା ସହିତ ଜିଲ୍ଲାପାଳଙ୍କ ଅନୁମୋଦନରେ ସିଏସଆର ଏବଂ ଡ଼ିଏମଏଫ ପାଣ୍ଠି ରେ ଲୋକଙ୍କୁ ବିଭିନ୍ନ ସ୍ୱାସ୍ତ୍ୟଗତ ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ତେବେ ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର ସହିତ ପୁରୁଣା ଜିଲ୍ଲା ହସ୍ପିଟାଲକୁ ଏକ ପ୍ରକାର ଅଚଳ କରିଦେଇଛନ୍ତି କତୃପକ୍ଷ । ସ୍ଥାନାନ୍ତର ପରେ ଏକ ପ୍ରକାର ଭୁତକୋଠି ହୋଇ ପଡିରହିଛି ପୁରା ମେଡିକାଲ । ଧର୍ମକୁ ଆଖିଠାର ମାରିବା ଭଳି କେବଳ ଦିନରେ ମାତ୍ର କେଇ ଘଂଟା ପାଇଁ ଆଉଟଡୋର ଟିଏ କାର୍ଯ୍ୟକ୍ଷମ ହେଉଥିବା ବେଳେ ନା ଅଛି ବେଡ଼ ନା ପରୀକ୍ଷଗାର । ଇତିମଧ୍ୟରେ ପୁରୁଣା ମେଡିକାଲ ରେ ଲାଗିଥିବା ଏକାଧିକ ଏସି ଚୋରି ହୋଇଯାଇଥିବା ବେଳେ ଅସାମାଜିକ ଲୋକଙ୍କ ଆଡ଼ା ସ୍ଥଳ ପାଲଟିଛି ପୁରୁଣା ମେଡିକାଲ କ୍ୟାମ୍ପସ । ହସ୍ପିଟାଲ ସ୍ଥାନାନ୍ତର ବେଳେ ଅନଭିଜ୍ଞ ସହରବାସୀ ପୁରୁଣା ଜିଲ୍ଲା ହସ୍ପିଟାଲ କୁ ବନ୍ଦ ନକରି ଏକ ସିଟି ହସ୍ପିଟାଲ ଖୋଲିବାକୁ ଦାବୀ କରିଥିଲେ । ତେବେ ଭଦ୍ରକ ସହର ଏଯାଏ ସିଟି ମାନ୍ୟତା ପାଇ ନଥିବା ବେଳେ ସିଟି ହସ୍ପିଟାଲ ଦାବୀ କରିବା ଅବାସ୍ତବ ସାବ୍ୟସ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସର୍ବୋପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅତ୍ୟନ୍ତ ଚତୁରତାର ସହିତ ସହରବାସୀଙ୍କ ଏହି ଦାବିକୁ ଏଡେଇ ଯାଇଥିଲେ । ଯାହାକି ଭଦ୍ରକ ସହରବାସୀଙ୍କ ପାଇଁ ଜିଲ୍ଲାପ୍ରଶାସନର ଚରମ ପ୍ରତାରଣା ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ । କେବଳ ଭଦ୍ରକ ପୁରୁଣା ଜିଲ୍ଲା ହସ୍ପିଟାଲ ରେ ସାଟେଲାଇଟ ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ ପ୍ରତି କ୍ଷେତ୍ରରେ ଚରମ ପ୍ରତାରଣା ର ଶିକାର ହୋଇ ଆସୁଛନ୍ତି ସହର ବାସୀ। ଭଦ୍ରକ ରେ ନୂତନ ଜିଲ୍ଲା ହସ୍ପିଟାଲ ନିର୍ମାଣ ପାଇଁ ଗତ ୨୦୦୪ ମସିହାରେ ସରକାର ଜମି ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ ଯାହାକି ପ୍ରାୟ ୨୦ ବର୍ଷ ପରେ ସାକାର ହୋଇଛି । ସେହିଭଳି ସରକାର ୨୦୨୫ ମସିହାରେ ମେଡିକାଲ କଲେଜ ହେବ ବୋଲି ଘୋଷଣା କରିଛନ୍ତି ଦେଖିବାକୁ ରହିଲା ଜିଲ୍ଲାବାସୀଙ୍କ ଏହି ସ୍ୱପ୍ନ ଘୋଷଣାର କେତେ ବର୍ଷ ପରେ ସାକାର ହେଉଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ