ସମ୍ବଲପୁର, ୧୫ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲା ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ “ସମୃଦ୍ଧ ଗାଁ, ସମୃଦ୍ଧ ସମ୍ବଲପୁର” ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ବଲପୁରର ଗ୍ରାମାଂଚଳରେ ନାଗରିକଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ, ସ୍ୱଚ୍ଛତା, ପାନୀୟ ଜଳ,ଜୀବନ ଜୀବିକାକୁ ଗୁରୁତ୍ୱ, ପ୍ରଶାସନିକ ସଂସ୍କାର ତଥା ଆନୁଷଙ୍ଗିକ ଭିତିଭୂମି ବିକାଶ ଉପରେ ଆଲୋଚନା ହୋଇଥିଲା । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ସଶକ୍ତ କରିବା, ପିଏମ ସ୍ୱନିଧି ଯୋଜନାରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆତ୍ମନିର୍ଭର କରିବା, ଏସଏଚଜି ସଂଗଠନର ମାଁ ଭଉଣୀ ମାନଙ୍କ ଆର୍ôଥକ କାର୍ଯ୍ୟକୁ ସୁବ୍ୟବସ୍ଥିତ ସହ ସ୍ୱାବଲମ୍ବୀ କରିବା ଆଦି ବିଭିନ୍ନ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ । ଅନେକ ବିଭାଗ, ନୀତି ଓ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ହେଉଛି । ଆମର ମୂଳ ଲକ୍ଷ୍ୟ ହେଉଛି, ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ଦେବା । ସମ୍ବଲପୁରରେ ଥିବା ସମ୍ଭାବନା, ଭିତିଭୂମି, ଉତ୍ପାଦନ ଓ ବଜାରକୁ ଦୃଷ୍ଟିରେ ରଖି ସମ୍ବଲପୁରୀ ବ୍ରାଣ୍ଡକୁ ଆଗକୁ ନେବା ଆମର ଲକ୍ଷ୍ୟ । ଏହି ବୈଠକରେ ରାଜ୍ୟ ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଉତରାଂଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ, ଉତରାଂଚଳ ପୁଲିସ ରେଞ୍ଜ ଆଇଜି ହିଂମାଶୁ ଲାଲ୍, ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦର, ଜିଲା ପୁଲିସଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷେତ୍ରି, ଆଇଏଏସ ପ୍ରୋବେସନର ଶୁଭ୍ରା ପଣ୍ଡା, ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସହ ସମ୍ବଲପୁର ଜିଲା ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ