ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) -ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବେଣୁପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜିର ଗ୍ରାମ ପଂଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଓ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତା୍ୱବଧାନରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସର୍ବେଶ୍ୱର ଦାସ,ସରପଂଚ ହୃଷିକେଶ ପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜଣାଶୁଣାଣିକୁ ଆସିଥିବା ଜନସାଧାରଣ ମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଆଜି ମୋଟ ୧୬୮ଗୋଟି ଆପତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧୪୭ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୩ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ସେଥିମଧ୍ୟରୁ ୫ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା । ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ ।
ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ କସ୍ତୁରୀ ବାଳା ଜେନା, ବିଡିଓ ରଶ୍ମିତା ନାଥ, ତହସିଲଦାର ଲୀଲନ ପ୍ରସାଦ ସାହୁ, ଜିଲ୍ଲା ସାଧାରଣ ଅଭିଯୋଗ ଆସିଷ୍ଟାଂଟ କଲେକ୍ଟର ଭୁବନେଶ୍ୱରୀ କହଁର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା