ଧର୍ମଶାଳା,୧୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନାରେ ଆଜି ଶିଶୁ ମିତ୍ରତାପୁର୍ଣ୍ଣ ଡେସ୍କର ଉଦଘାଟନ ହୋଇଯାଇଛି । ଓଡିଶା ପୁଲିସ ପକ୍ଷରୁ ବିଭିନ୍ନ ଥାନାରେ ଏଭଳି ଏକ ସ୍ୱତନ୍ତ୍ର ଡେସ୍କ ଖୋଲାଯାଉଛି । ଏହିକ୍ରମରେ ଜିଲ୍ଲାର ମଡେଲ ଥାନା ଯାଜପୁର ରୋଡ ଥାନାରେ ପ୍ରଥମ କରି ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡେସ୍କର ଉଦଘାଟିତ ହୋଇଯାଇଥିବା ବେଳେ ଜିଲ୍ଲାରେ ଦ୍ୱିତୀୟ ଥାନା ଭାବେ ପରିଗଣିତ ଧର୍ମଶାଳା ଥାନାରେ ଆଜି ଏଭଳି ଏକ ସ୍ୱତନ୍ତ୍ର ଡେସ୍କର ଉଦଘାଟନ ହୋଇଯାଇଛି । ଆଜି ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଏସପି ୟସପ୍ରତାପ ଶିମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମିତ୍ରତା ପୁର୍ଣ୍ଣ ଡେସ୍କର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସମେତ ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ଆଗକୁ ଅନ୍ୟ ଥାନା ଗୁଡିକରେ ଶିଶୁମାନଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ଡେସ୍କର ବ୍ୟବସ୍ଥା କରାଯିବ ବୋଲି ଏସପି କହିଥିଲେ । ଥାନାକୁ ଛୋଟ ଛୋଟ ଶିଶୁମାନଙ୍କୁ ଧରି ଆସୁଥିବା ମହିଳାମାନେ ଯେପରି କୌଣସି ଅସୁବିଧା ଯଥା ଶିଶୁକୁ କ୍ଷୀର ପିଆଇବା ଏବଂ ପିଲାମାନଙ୍କ ଖେଳ ପାଇଁ ଖେଳଣା ଆଦି ଯୋଗାଇ ଦେବା ସହ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟର ବ୍ୟବସ୍ଥା କରାଯାଇଛି ବୋଲି ଏସପି କହିଛନ୍ତି । ଧର୍ମଶାଳା ଥାନାରେ ଖୋଲାଯାଇଥିବା ଏହି ସ୍ୱତନ୍ତ୍ର ଡେସ୍କରେ ଏଏସଆଇ ଅରୁଣିମା ମହାପାତ୍ର ଏବଂ କନେଷ୍ଟବଳ ପାର୍ବତୀ ବାରିକ ଦାୟିତ୍ୱରେ ରହିବେ । ଥାନାକୁ ଯେକୌଣସି କାମରେ ଆସୁଥିବା ମହିଳାଙ୍କ ସହିତ ଆସୁଥିବା ଶିଶୁମାନେ ଯେପରି ଅସୁବିଧାର ସମ୍ମୁକୀନ ନହେବେ ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଯତ୍ନବାନ ରହିବେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ