ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍ ଇଂଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ରବିବାର ସକାଳେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଂଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନିରେ କାମ କରିବାର ଅନୁଭୂତି ଦେବା ଲାଗି ‘ଷ୍ଟୁଡେଂଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି। ୨୦୨୪-୨୫ ବ୍ୟାଚରୁ ଗତ ମାର୍ଚ୍ଚ ମାସରେ ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନେ ଏବେ ନୂଆ ଅନୁଭୂତି ନେଇ ଫେରିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ବିମାନ ବନ୍ଦରଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଭବିଷ୍ୟତର କ୍ୟାରିୟର ଲାଗି ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
୬ ମାସିଆ ପେଡ୍ ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଯାଇଥିବା ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଭିନ୍ନ ପ୍ରମୁଖ କମ୍ପାନିରେ କାମ କରିବାର ସୁଯୋଗ ପାଇଥିଲେ। ସେଠାରେ ସେମାନେ ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର ଉପରେ ଅଧିକ ଜ୍ଞାନ ଆହରଣ କରିବା ସହ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କିପରି କାମ କରାଯାଏ ତାହା ଶିଖିବାକୁ ପାଇଥିଲେ। ସିଙ୍ଗାପୁରର ଏହି ଅନୁଭୂତି ସେମାନଙ୍କ ଭବିଷ୍ୟତ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶେଷ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ।
‘‘ସିଙ୍ଗାପୁରର ୱାଇଟିଏଲ୍ ପାୱାର ସେରାୟା କମ୍ପାନିରେ ମୁଁ ଇଂଟର୍ଣ୍ଣସିପ୍ କରିବା ବେଳେ ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ପାଇଲି। ଟିମ୍ ସହିତ ଯୋଡ଼ିହୋଇ କିପରି କାମ କରାଯାଏ ତାହା ମଧ୍ୟ ଦେଖିଲି। ଇଂଟର୍ଣ୍ଣସିପରୁ ଯାହା ଶିଖିଲି ତାକୁ ଆଗାମୀ ଦିନରେ ମୁଁ କାମରେ ଲଗାଇବି ’’, କହିଛନ୍ତି ଶାସ୍ୱତୀ ପଣ୍ଡା। ଭୁବନେଶ୍ୱରର ଶାସ୍ୱତୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଇଲେକ୍ଟ୍ରିକାଲ ଟେକ୍ନୋଲୋଜି’ ବିଷୟରେ ତାଲିମ ନେଇ ଷ୍ଟୁଡେଂଟ ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିଲେ।
ସେହିପରି ସିଙ୍ଗାପୁରର ଫୋର ସିଜିନ୍ସ ହୋଟେଲରେ ଇଂଟର୍ଣ୍ଣସିପ୍ କରିଥିବା ରାଜକିଶୋର ରାୟ କହନ୍ତି, ‘‘ସିଙ୍ଗାପୁର ଯାଇ ସେଠାରେ ୬ ମାସ ଧରି ଇଂଟର୍ଣ୍ଣସିପ୍ କରିବା ମୋ’ ପାଇଁ ବଡ଼ କଥା। ବିଲ୍ଡିଂ ମେଣ୍ଟେନାନ୍ସ, ସମୟ ପରିଚାଳନା ଏବଂ ଟିମ୍ ୱାର୍କ ଆଦି ବିଷୟରେ ମୁଁ ଜାଣିବାକୁ ପାଇଲି। ଏହି କାର୍ଯ୍ୟକ୍ରମ ମୋ’ ଭିତରେ ନୂଆ ସାହସ ଭରିଛି।’’
ନବରଙ୍ଗପୁରର ରାଜକିଶୋର ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍?’ ବିଷୟରେ ତାଲିମ ନେଇଥିଲେ। ଇଂଟର୍ଣ୍ଣସିପ୍ ଶେଷ କରିବା ପରେ ତାଙ୍କୁ ମାଲଦିଭସର ଫୋର ସିଜିନ ହୋଟେଲ୍ସରେ ନିଯୁକ୍ତି ସୁଯୋଗ ପାଇଛନ୍ତି।
ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ଏହି କେନ୍ଦ୍ରରେ ତାଲିମ ନେଇ ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ପାଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା