ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ଆସନ୍ତା ୨୮ ତାରିଖରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ନ୍ୟାସନାଲ ମେଡ଼ିଏସନ୍ କର୍ମଶାଳାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅତିଥିମାନଙ୍କ ଆଗମନ ସମୟ, ସେମାନଙ୍କ ରହଣି ଓ କର୍ମଶାଳା ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ବିଭିନ୍ନ ରାଜ୍ୟରୁ ଆସୁଥିବା ମନ୍ତ୍ରୀଗଣ, ବିଚାରପତି, ଆଇନ ସଚିବ, ଆଡ୍ଭୋକେଟ୍ ଜେନେରାଲ, ଆଇନ ବିଶେଷଜ୍ଞ ଏବଂ ଅତିଥିଗଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଏବଂ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ ସହିତ ଅବଗତ କରାଇବା ନେଇ ଆଲୋଚନା ହୋଇଥିଲା । ଏଥି ସହ ରହଣି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଓଡ଼ିଶାର ପାଟବସ୍ତ୍ର, ହସ୍ତତନ୍ତ ଏବଂ କଳାକୃତିର ପ୍ରଚାରପ୍ରସାର ପାଇଁ ଏଠାରେ ହସ୍ତତନ୍ତ ପ୍ରଦର୍ଶନୀ ଖୋଲାଯିବା ନେଇ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରଞ୍ଜିତା ଜେନା, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର ଏବଂ ଭୁବନେଶ୍ୱର ବିମାନ ବନ୍ଦର ପ୍ରାଧିକରଣର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା