ଜମ୍ମୁ, ୧୬ ସେପ୍ଟେମ୍ବର (ହି.ସ.)- ଜମ୍ମୁ ଓ କାଶ୍ମୀରର ରିୟାସି ଜିଲ୍ଲାର ବେସ୍ କ୍ୟାମ୍ପ କଟରାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ଆଜି ଲଗାତାର ୨୨ତମ ଦିନରେ ମଧ୍ୟ ସ୍ଥଗିତ ରହିଛି ।
ପୂର୍ବରୁ ଯାତ୍ରା ସେପ୍ଟେମ୍ବର ୧୪ରୁ ପୁଣି ଆରମ୍ଭ ହେବାର ଥିଲା କିନ୍ତୁ ଖରାପ ପାଗ ଯୋଗୁଁ ଏହାକୁ ପୁଣି ସ୍ଥଗିତ ରଖାଯାଇଛି । ଶ୍ରାଇନ ବୋର୍ଡ଼ ର ଜଣେ ଅଧିକାରୀ କହିଛନ୍ତି ଯେ, ମାତା ବୈଷ୍ଣୋ ଦେବୀ ଯାତ୍ରା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ସେ କହିଛନ୍ତି ଯେ, ଶ୍ରଦ୍ଧାଳୁମାନଙ୍କୁ ସରକାରୀ ଯୋଗାଯୋଗ ମାଧ୍ୟମରେ ଅପଡେଟ୍ ରହିବାକୁ ଅନୁରୋଧ କରାଯାଇଛି ।
ଅଗଷ୍ଟ ୨୬ ତାରିଖରେ, ଅର୍ଦ୍ଧକୁଂବାରୀର ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୩୪ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରେ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ । ଏବଂ ଅନେକ ଆହତ ହୋଇଥିଲେ । ଜମ୍ମୁ -କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଯିଏ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ଅଧ୍ୟକ୍ଷ ମଧ୍ୟ, ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନର କାରଣ ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି ।
ଜମ୍ମୁ ଏବଂ କାଶ୍ମୀର ଜଳ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶାଲୀନ କାବରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜମ୍ମୁ ଡିଭିଜନାଲ କମିଶନର ରମେଶ କୁମାର ଏବଂ ଜମ୍ମୁ ପୋଲିସ ମହାନିରୀକ୍ଷକ ବି ଏସ ଟୁଟି ସାମିଲ୍ ଅଛନ୍ତି । ଏହି କମିଟି ଉପରାଜ୍ୟପାଳ ଶ୍ରୀ ସିହ୍ନାଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ।
ସେପ୍ଟେମ୍ବର ୧୩ ତାରିଖରେ, ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଚିନ କୁମାର ବୈଶ ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେଉଥିବା ନଅ ଦିନିଆ ନବରାତ୍ରି ଆରମ୍ଭ ପୂର୍ବରୁ ଏବଂ ଆଗାମୀ ନବରାତ୍ରି ସମୟରେ ନିରବଚ୍ଛିନ୍ନ ତୀର୍ଥଯାତ୍ରା ସୁନିଶ୍ଚିତ କରିବା ପାଇଁ ଆଧ୍ୟାତ୍ମିକ ବିକାଶ କେନ୍ଦ୍ର କଟରାରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ