ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର କଂଗ୍ରେସ ଯୁବ ବିଧାୟକ ପବିତ୍ର ସାଉଁନ୍ତା ଅଭିଯୋଗ କରିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଦେଶର ରାଷ୍ଟ୍ରପତି ମହୋଦୟା ମଧ୍ୟ ଆଦିବାସୀ। ପୁଣି ସେ ଓଡ଼ିଆ। ଆମେ ଆଶା କରୁଥିଲୁ ଏଣିକି ଆଦିବାସୀ ସେମାନଙ୍କ ନ୍ୟାୟ ପାଇବେ, ଦୁଃଖ ଦୂର ହେବ। କିନ୍ତୁ ଦୁଃଖ ଦୂର ହେବା ପରିବର୍ତେ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ମୌଳିକ ଅଧିକାରରୁ ସରକାର ବଂଚିତ କରୁଛନ୍ତି । କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଞ୍ଜିନ ସରକାର ଆଦିବାସୀ ବିରୋଧୀ । ବିଜେପି ସରକାର କ୍ଷମତାକୁ ଆସିବା ପରେ ଶିକ୍ଷାନୀତିକୁ ପରିବର୍ତନ କରି ଶିକ୍ଷାରେ ପାତର ଅନ୍ତର କରିଛି ଯାହା ଆଦୌ ଗ୍ରହଣୀୟ ନୁହେଁ ।
ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପ୍ରାକ ମ୍ୟାଟ୍ରିକ ଛାତ୍ର ବୃତି କେଉଁ ଆଧାରରେ ରାଜ୍ୟ ସରକାର ଦୀର୍ଘ ୫ ମାସ ହେଲା ବନ୍ଦ କରିଛନ୍ତି ତାହାର ଜବାବ ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି । ବୃତି ବନ୍ଦ ହୋଇଯିବା ଫଳରେ ଗରିବ ଆଦିବାସୀ ପିଲାଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡୁଛି । ସରକାରଙ୍କୁ ଅନୁରୋଧ କରି ବିଧାୟକ ଶ୍ରୀ ସାଉଁନ୍ତା କହିଛନ୍ତି, ସରକାର ଅତିଶୀଘ୍ର ଛାତ୍ର ବୃତି ପ୍ରଦାନ କରି କ୍ଷତିଗ୍ରସ୍ତ ହୋଇଥିବା ୫ ଲକ୍ଷ ୫୦ ହଜାର ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିଶ୍ଚିତ କରନ୍ତୁ। ଯଦି ସରକାର ଛାତ୍ର ଛାତ୍ରୀଙ୍କ ବୃତି ପୁନଃଲାଗୁ ନ କରେ ତେବେ ଆମେ ନିକଟରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ଆମ ଦାବି ରଖିବୁ ବୋଲି ବିଧାୟକ ଶ୍ରୀ ସାଉଁନ୍ତା ପ୍ରକାଶ କରିଛନ୍ତି ।
କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି ଆଦିବାସୀ ଛାତ୍ର ଛାତ୍ରୀଙ୍କ ଅସୁବିଧା ଏବଂ ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନୀତିର ସମ୍ପୂର୍ଣ ତଥ୍ୟ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟରେ ୫୩ ହଜାର ଛାତ୍ର ଛାତ୍ରୀଙ୍କୁ ଆଜିକୁ ୫ମାସ ହେଲାଣି ପ୍ରାକ ମାଟ୍ରିକ ଛାତ୍ରବୃତି ଏପର୍ଯ୍ୟନ୍ତ ମିଳିନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ଗଣାଶିକ୍ଷା ବିଭାଗ ଦ୍ୱାରା ୨୮୭ ଟି ଛାତ୍ରବାସରେ ୨୮ ହଜାର ଅନୁସୂଚିତ ଜାତି ଓ ଆଦିବାସୀ ବର୍ଗର ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି। ସେହିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ଉନୟନ ଓ ସଂଖ୍ୟା ଲଘୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ୧୩୮ ଛାତ୍ରାବାସରେ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି।
ଗତ ଏପ୍ରିଲ ମାସ ଠାରୁ ଆଜି ପର୍ଯ୍ୟନ୍ତ ଅନୁଦାନ ବା ଛାତ୍ରବୃତି ମିଳିଲା ନାହିଁ। ସରକାର ଛାତ୍ର ବୃତି ସ୍ୱରୂପ ନବମ ଓ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ୧୦୫୦ ଟଙ୍କା ଦେଉଥିବା ବେଳେ ଛାତ୍ରୀ ମାନଙ୍କୁ ୧୧୦୦ ଟଙ୍କା ଦେଉଛନ୍ତି। ଏହି ଅର୍ଥରାଶିକୁ ମାସକ ମଧ୍ୟରେ ସେମାନେ ଚାରି ଓଳି ସକାଳ ଜଳଖିଆ, ଦୁଇପହର ଭାତ, ଅପରାହ୍ନ ଜଳଖିଆ ଓ ରାତ୍ରି ଭୋଜନ କରିଥାନ୍ତି। ଏଥିରେ ମଧ୍ୟ ନିତ୍ୟ ବ୍ୟବହାର ଜିନିଷ(ସାବୁନ, ତେଲ, ପେନ୍)। ଏହି ପାଞ୍ଚମାସ କାଳ ଛାତ୍ରବୃତ୍ତି ନ ଦେବା ହେତୁ ଏବେଠାରୁ ଛାତ୍ରାବାସ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ହାତ ଟେକି କହିଲେଣି ଆଉ ଆମେ ଏମାନଙ୍କୁ ଖାଦ୍ୟ । ପାରିବୁ ନାହିଁ। ଏହା କେବଳ ଗୋଟିଏ ଜିଲ୍ଲାର ଚିତ୍ର । ରାଜ୍ୟରେ ୧୦ ଟି ଆଦିବାସୀ ବହୁଳ ଜିଲ୍ଲା ସ୍ଥିତି ଅତ୍ୟନ୍ତ ସଙ୍ଗୀନ।
ମୋଦି ସରକାର ୨୦୨୧ - ୨୨ ଶିକ୍ଷା ବର୍ଷ ଠାରୁ କେନାଲ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତ୍ତି ପ୍ରଦାନ କରିବାର ନିୟମ ବଦଲାଇଲେ। ପୂର୍ବରୁ କଂଗ୍ରେସ ସରକାର ସମୟରେ ଜଞଋ ମାଧ୍ୟମରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିଥିଲେ ବୋଲି ନିଜ ବକ୍ତବ୍ୟରେ ମୁଖପାତ୍ର ମହାନ୍ତି ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା