ଜଟଣୀ/ଭୁବନେଶ୍ୱର,17 ସେପ୍ଟେମ୍ବର (ହି.ସ.)- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଆଜି ୧୭ ସେପ୍ଟେମ୍ବର (ବୁଧବାର) ଦିନ ଅପରାହ୍ନ ୪ଘ. ୩୦ ମିନିଟ୍ ସମୟରେ ଉଦ୍ଘାଟିତ କରାଯିବ ।
ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ ଦ୍ୱାରା ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରାଯିବ । ଆଇଆଇଟି ଭୁବନେଶ୍ୱର ନିକଟରେ ଅବସ୍ଥିତ ନୂତନ ତରାବୋଇ ପାସେଞ୍ଜର ହଲ୍ଟ ସିଆଳିପାଟଣା, ଖୁଦୁପୁର, ତରାବୋଇ, ବଣିଆଟାଙ୍ଗୀ, ହରିଡାମଡା, ହରିପୁର, କୋରାଙ୍ଗ, ପିତାପଲି, ସମପୁର, ବାଜପୁର ଏବଂ ନିକଟବର୍ତୀ ଅଞ୍ଚଳର ଲୋକମାନଙ୍କୁ ଅତ୍ୟନ୍ତ ସୁବିଧା ପ୍ରଦାନ କରିବ । ଏହି ପାସେଞ୍ଜର ହଲ୍ଟ ବିଶେଷ ଭାବରେ ଆଇଆଇଟି ଭୁବନେଶ୍ୱର, ନାଇଜର, ଜିଆଇଇଟି, ମହାରାଜା ପଲିଟେକ୍ନିକ୍, ମହାରାଜା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆଇନଷ୍ଟାଇନ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି, ସ୍କିଲ୍ ଡେଭଲପମେଂଟ ଇନଷ୍ଟିଚ୍ୟୁଟ୍ ଏବଂ ଟେମ୍ପୁଲ୍ ସିଟି ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ କର୍ମଚାରୀମାନଙ୍କୁ ଲାଭ ପ୍ରଦାନ କରିବ। ଏହି ହଲ୍ଟ ପ୍ରସ୍ତାବିତ ଜିଲ୍ଲା ମେଡିକାଲ୍ ହସ୍ପିଟାଲ ଓ ମେଡିକାଲ୍ କଲେଜକୁ ମଧ୍ୟ ସେବା ପ୍ରଦାନ କରିବ।
ପ୍ରତିଦିନ ଯାତ୍ରୀମାନଙ୍କୁ ସେବା ଯୋଗାଇବା ସହିତ, ତରାବୋଇ ପାସେଞ୍ଜର ହଲ୍ଟ ଖୋର୍ଦ୍ଧା ଦୁର୍ଗ, ଐତିହାସିକ ବରୁଣେଇ ପାହାଡ଼ ଏବଂ ବରୁଣେଇ ମନ୍ଦିରକୁ ରେଳ ସଂଯୋଗୀକରଣ ଉନ୍ନତ କରି ପର୍ଯ୍ୟଟନକୁ ବୃଦ୍ଧି କରିବ । ଏହି ବର୍ଦ୍ଧିତ ସୁଗମତା ଅଧିକ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ଲାଭ ଦେବ ଏବଂ ଏହି ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବ ବୋଲି ଆଶା କରାଯାଉଛି ।
ଜାନୁଆରୀ ୨୦୨୪ ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର ୨୦୨୫ ରେ୮୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ଅଂଚଳର ପାଂଚରୁ ଅଧିକ ଗ୍ରାମ ପଂଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲ୍ଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି ପ ପାନୀୟ ଜଳ (ହ୍ୟାଣ୍ଡପମ୍ପ), ପ୍ରତୀକ୍ଷା ହଲ୍, ୦୬ ବେ ସହିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପର୍ଯ୍ୟାପ୍ତ ଆଲୋକୀକରଣ, ରେଲ ସ୍ତରର ପ୍ଲାଟଫର୍ମ, ସମୟ ସାରଣୀ ବୋର୍ଡ ଏବଂ ଯାତ୍ରୀଭଡା ଚାର୍ଟ, ଡଷ୍ଟବିନ୍ ଏବଂ ଶୌଚାଳୟ ।
ଚାରି ଯୋଡ଼ା ଟ୍ରେନ୍ ୬୮୪୪୩/୬୮୪୪୪ ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, ୬୮୪୨୯/୬୮୪୩୦ ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, ୧୮୪୨୩/୧୮୪୨୪ ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ୬୮୪୪୯/୬୮୪୫୦ ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ରହଣି ପ୍ରଦାନ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ