ନୂଆଦିଲ୍ଲୀ, ୧୭ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ବୁଧବାର ଭାଲଖା ଲ୍ୟାଣ୍ଡଫିଲ ସାଇଟ୍ ପରିଦର୍ଶନ କରି ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ଘୋଷଣା କରିଥିଲେ ଯେ, ସାଇଟରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ, ଏମସିଡ଼ି ଶ୍ରମିକ, ଠିକାଦାର କର୍ମଚାରୀ ଯାନବାହାନ ଚାଳକ ଏବଂ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀଙ୍କ କଠିନ ପରିଶ୍ରମକୁ ଦୃଷ୍ଟିରେ ରଖି ପ୍ରତି ବ୍ୟକ୍ତିଙ୍କୁ ୫୦୦୦ ଟଙ୍କା ଦିଆଯିବ । ଏହି ରାଶି ସମ୍ପୃକ୍ତ ବିଭାଗ ଏବଂ ପ୍ରତିଷ୍ଠାନ ମାଧ୍ୟମରେ ବଂଟନ କରାଯିବ । ମନୋହରଲାଲ କହିଛନ୍ତି ଯେ, ଏପରି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ପ୍ରତିଦିନ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି । ଏହି କାରଣରୁ ସେମାନଙ୍କ ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯାଂଚ ଶିବିର ମଧ୍ୟ ଆୟୋଜନ କରାଯିବ ଯାହା ଦ୍ୱାରା ସମ୍ଭାବ୍ୟ ରୋଗ ଗୁଡ଼ିକୁ ସମୟ ମଧ୍ୟରେ ଚିହ୍ନଟ କରାଯାଇପାରିବ ଏବଂ ସେମାନଙ୍କର ଚିକିତ୍ସା ସୁନିଶ୍ଚିତ କରାଯାଇପାରିବ । ସେ ଭାଲଖା ଲ୍ୟାଣ୍ଡଫିଲରେ ବର୍ଜ୍ୟବସ୍ତ ନିଷ୍କାସନ ଏବଂ ପ୍ରକ୍ରିୟାକରଣ ପାଇଁ ଚାଲିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନର ଅଂଶ ସ୍ୱରୂପ ଏକ ପେଡ଼ ମା କେ ନାମ ପଦକ୍ଷେପ ଅଧିନରେ ଏକ ଚାରା ରୋପଣ କରିଥିଲେ । ମନୋହର ଲାଲ କହିଛନ୍ତି ଯେ, ସ୍ୱଚ୍ଛତା ଏବଂ ସ୍ଥାୟୀ ବିକାଶ ପାଇଁ ଉତ୍ସର୍ଗୀକୃତ ଏହି ଅଭିଯାନର ଲକ୍ଷ ହେଉଛି ପରିବେଶକୁ ସୁରକ୍ଷା ଦେବା ଏବଂ ସମାଜରେ ସ୍ୱଚ୍ଛତାର ସଂସ୍କୃତିକୁ ସୁଦୃଢ଼ କରିବା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ