ବଲାଙ୍ଗୀର, ୧୭ ସେପ୍ଟେମ୍ବର(ହି.ସ.) – ବନୀକରଣର ଦ୍ୱିତୀୟ ସଂସ୍କରଣରେ ରାଜ୍ୟରେ ଗୋଟିଏ ଦିନରେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ରାଜ୍ୟବ୍ୟାପୀ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି। ଏହି ବିଶେଷ ଅଭିଯାନରେ ସମସ୍ତେ ସାମିଲ ହୋଇ ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଚାରାଟିଏ ନିଶ୍ଚୟ ଲଗାଇବା ଓ ଯୋଡ଼ି ହୋଇ ଆମ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ, ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ପୁରପଲ୍ଲିର ଆବାଳ ବୃଦ୍ଧ ବନିତା ସମସ୍ତେ ଏହି ଅଭିଯାନରେ ନିଜର ସକ୍ରିୟ ସହଯୋଗ ଦେଇଛନ୍ତି। ବଲାଙ୍ଗିର ଠାରେ ଆୟୋଜିତ ହୋଇଥିବା ଚାରାରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗୀର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଡାଃ. ବିଜୟାନନ୍ଦ ସେଠି, ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ତରଣୀ ସୁନା, ବନଖଣ୍ଡ ଅଧିକାରୀ ଅଜିତ ବିଶି, ଉପଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ବ୍ଲକ, ପୌରପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ ସ୍ତରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମ ପଂଚାୟତ, ୱାର୍ଡ, ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବନ ସଂରକ୍ଷଣ ସମିତି ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଭ୍ୟ ସଭ୍ୟା, ମହିଳା ଓ ଯୁବ ବର୍ଗ, ଜନ ପ୍ରତିନିଧି, ଜନସାଧାରଣ ଏହି ବୃକ୍ଷ ରୋପଣ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତ ବୃକ୍ଷ ଓ ଫଳ ଚାରା ଗୁଡିକ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଉଦ୍ୟାନ ବିଭାଗ ଦ୍ୱାରା ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ନର୍ସରୀ ମାଧ୍ୟମରେ ଚାରା ଗୁଡିକ ବଂଟନ କରିଛନ୍ତି। ଜଳ ଛାୟା ପ୍ରକଳ୍ପ ୨୧ ଗୋଟି ପଂଚାୟତ ସମିତି ଅନ୍ତର୍ଗତ ୩୨ଟି ଗ୍ରାମର ୭୧ଟି ସ୍ଥାନରେ ମୋଟ ୬୭୦୦ ଗୋଟି, ଉଦ୍ୟାନ ବିଭାଗ ୧୭୫ ଗୋଟି ପଂଚାୟତ ସମିତି ଅନ୍ତର୍ଗତ ୬୫୪ଟି ଗ୍ରାମର ୬୫୪ଟି ସ୍ଥାନରେ ମୋଟ ୧୨୬୦୭୬ ଗୋଟି, ବନବିଭାଗ ଦ୍ୱାରା ୨୮ ଗୋଟି ପଂଚାୟତ ସମିତି ଅନ୍ତର୍ଗତ ୨୮ ଟି ଗ୍ରାମର ୩୬ ଟି ସ୍ଥାନରେ ମୋଟ ୫୩୦୦୦ଗୋଟି, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ୩୧୭ ଗୋଟି ପଂଚାୟତ ସମିତି ଅନ୍ତର୍ଗତ ୧୧୬୧ ଟି ଗ୍ରାମର ୧୧୬୧ ଟି ସ୍ଥାନରେ ମୋଟ ୧୫୮୫୦୦ ଗୋଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ୧୯୯୬୦ ଟି, ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ୮୦୦୦୦, ବିଭିନ୍ନ ବ୍ୟାଙ୍କ ଦ୍ୱାରା ୬୦୦୦ ଟି ଏଭଳି ମୋଟ ୪୫୦୨୩୬ ଚାରା ରୋପଣ ଧାର୍ଯ୍ୟ କରାଯାଇଛି। ଯୁବ ଗୋଷ୍ଠୀ ବୃକ୍ଷ ରୋପଣ ସେଲଫି ଫୋଟ ଏବଂ ଜିଓ-ଟ୍ୟାଗ ଫୋଟ ଗୁଡିକ ମେରି ଲାଇଫ ପୋର୍ଟାଲରେ ଅପଲୋଡ କରି ପ୍ରମାଣପତ୍ର ହାସିଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ