ସମ୍ବଲପୁର, ୧୮ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଦୀର୍ଘ ଦିନ ଧରି ଘରୋଇ ଇନ୍ଧନ ଗ୍ୟାସ୍ ସିଲିଣ୍ଡରର ବ୍ଯାପକ ମାତ୍ରାରେ କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେବାପରେ ଆଜି ପ୍ରଶାସନ ତରଫରୁ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । କୁଚିଣ୍ଡା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଡେପୁଟି କଲେକ୍ଟର ଲୋଚନ ଶବର, ଯୋଗାଣ ସୁପରଭାଇଜର ରାଜକିଶୋର ସ୍ୱାଇଁ, ଏମ୍ଆଇ ସୁଧୀର କୁମାର ପାତ୍ର, ଜମନକିରା ଇନି୍ସପେକ୍ଟର ବିଜୟ କୁଲୁ ମିଳିତ ଭାବେ କୁଚିଣ୍ଡାସ୍ଥିତ ବିଭିନ୍ନ ହୋଟେଲରେ ଚଢ଼ଉ କରିଥିଲେ। 'ହୋଟେଲ ଡିଲକ୍ସ'ରୁ ୧୨ଟି ଗ୍ୟାସ୍ ସିଲିଣ୍ଡର, 'ହୋଟେଲ ରୟାଲ ଗ୍ୟାଲେକ୍ସି'ରୁ ୫ଟି ସିଲିଣ୍ଡର, 'ସାହୁ ଢ଼ାବା'ରୁ ୨ଟି ସିଲିଣ୍ଡର ଜବତ କରିଥିବା ଜଣାପଡିଛି । ଜବତ ସିଲିଣ୍ଡର ଗୁଡ଼ିକର କୌଣସି କାଗଜ ପତ୍ର ନ ଥିଲା ବେଳେ ବ୍ଲାକରେ କିଣା ହୋଇଥିବା ଅନୁମାନ କରାଯାଉଛି।ଯୋଗାଣ ବିଭାଗ ପକ୍ଷରୁ ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ କେଉଁଠୁ ଆସିଲା କିଏ ଯୋଗାଇଥିଲା ତାର ତଦନ୍ତ ଆରମ୍ଭ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ