ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଦିବଂଗତା ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ମାଷ୍ଟରକ୍ୟାଂଟିନ ଛକ ଠାରେ ପ୍ରଦେଶ ମହିଳା କଂଗ୍ରେସର କର୍ମକର୍ତାମାନେ ମହମବତୀ ପ୍ରଦର୍ଶନ କରି ଦିବଂଗତା ଶୁଭମିତ୍ରା ସାହୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟରେ ମହିଳା ଅସୁରକ୍ଷିତ। ଏପରିକି ମହିଳା କନେଷ୍ଟବଳ ମଧ୍ୟ ସୁରକ୍ଷିତ ନାହାନ୍ତି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବାପାଇଁ ଲଢ଼େଇ ଜାରି ରହିଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି। ମୃତା ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ମହିଳା କଂଗ୍ରେସ ସଂଗ୍ରାମ ଜାରି ରଖିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା