ଧର୍ମଶାଳା, ୧୮ସେପ୍ଟେମ୍ବର ( ହି.ସ. ): ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ସମାଜ ଖବର କାଗଜର ପ୍ରାକ୍ତନ ସଂପାଦକ ମନୋରମା ମହାପାତ୍ରଙ୍କ ଚତୁର୍ଥ ପୁଣ୍ୟତିଥି ଆଜି ଜାରକାସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ସାରସ୍ୱତ ସାଧକ ଡକ୍ଟର ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ ଥିଲେ ବିଶଷ୍ଟ କବୟିତ୍ରୀ ମନୋରମା ମହାପାତ୍ର ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ମୁଖ୍ୟବକ୍ତା ଭାବେ ମଧୁପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ତୁହିନାଂଶୁ ରଥ ଓ ସମ୍ମାନିତ ବକ୍ତା ଭାବେ ପ୍ରଜ୍ଞାନ ପବ୍ଲିକେଶନ୍ସର ପ୍ରକାଶିକା ଡକ୍ଟର ସସ୍ମିତା ଦାଶ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ କହିଥିଲେ । ଉପସଭାପତି କବି ସଂଗ୍ରାମ କେଶରୀ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ଡକ୍ଟର ଇନ୍ଦୁପ୍ରଭା ସାମଲ ବିବରଣୀ ପାଠ କରିଥିଲେ । ଗୋକର୍ଣ୍ଣିକା ପତ୍ରିକା ସଂପାଦନା ମଣ୍ଡଳୀ ସଦସ୍ୟା ଡକ୍ଟର ଲୋପାମୁଦ୍ରା ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ମହାପାତ୍ରଙ୍କ ସ୍ମରଣେ ପୂର୍ବତନ ଉପସଭାପତି ପଣ୍ଡିତ ବ୍ରଜ କିଶୋର ଦାଶ, ଅନ୍ୟତମ ଉପସଭାପତି ହୃଷୀକେଶ ସାମଲ, ରଂଜିତା ବାରିକ, ସୂର୍ଯ୍ୟାସ୍ତ ସଂପାଦକ ବିବେକାନନ୍ଦ ରାୟ କବିତା ପାଠ କରିଥିଲେ । ସଂଗଠନ ସଂପାଦକ ପ୍ରତାପରୁଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ