ଗୋରଖପୁର, ୨୨ ସେପ୍ଟେମ୍ବର (ହି.ସ.)- ଜିଏସଟି ସଂସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ଦୀପାବଳି ଉପହାର ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜିଏସଟି ହାର ହ୍ରାସ କରିବା ଦ୍ୱାରା ନିଯୁକ୍ତି ବୃଦ୍ଧି ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଏସଟି ହ୍ରାସ ସାଧାରଣ ଗ୍ରାହକଙ୍କ କ୍ରୟ ଶକ୍ତି ବୃଦ୍ଧି କରିବ । କ୍ରୟ ଶକ୍ତି ବୃଦ୍ଧି ହେବା ଦ୍ୱାରା ଚାହିଦା ବୃଦ୍ଧି ହେବ । ଚାହିଦାରୁ ବ୍ୟବହାର, ବ୍ୟବହାରରୁ ଉତ୍ପାଦନ ବଢିବ ଏବଂ ଉତ୍ପାଦନ ବୃଦ୍ଧି ହେବା ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ ।
ସୋମବାର ଦିନ ଜିଏସଟି ସଂସ୍କାର ଉପରେ ଜନସଚେତନତା ଶୋଭାଯାତ୍ରା ଏବଂ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସହିତ କଥାବାର୍ତା କରୁଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ, ଶାରଦୀୟ ନବରାତ୍ରିର ପ୍ରଥମ ଦିନରେ ସାରା ଦେଶରେ ହ୍ରାସ ହୋଇଥିବା ଜିଏସଟି ହାର ଲାଗୁ କରାଯାଇଛି । ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଜିଏସଟି ସଂସ୍କାର । ଅନେକ ସାମଗ୍ରୀ ଏବଂ ସେବା ଉପରେ ଟିକସ ହାର ପାଂଚ ପ୍ରତିଶତ କିମ୍ବା ଶୂନ୍ୟକୁ ହ୍ରାସ କରାଯାଇଛି । ସେ କହିଛନ୍ତି ଯେ, ଜୀବନ ରକ୍ଷାକାରୀ ଔଷଧକୁ ଟିକସ ମୁକ୍ତ କରାଯାଇଛି, ଯେତେବେଳେ ଅନ୍ୟାନ୍ୟ ଔଷଧ ଉପରେ ଟିକସ ହାର ପାଂଚ ପ୍ରତିଶତକୁ ହ୍ରାସ କରାଯାଇଛି । ସେ କହିଛନ୍ତି ଯେ, ଚାଷୀଙ୍କ ପାଇଁ ଜିଏସଟି ପାଂଚ ପ୍ରତିଶତ କିମ୍ବା ଶୂନ୍ୟକୁ ହ୍ରାସ କରାଯାଇଛି । ଶିକ୍ଷା ସାମଗ୍ରୀ ଉପରେ ଟିକସ ହାର ୧୨ ପ୍ରତିଶତରୁ ଶୂନ୍ୟକୁ ହ୍ରାସ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ