‘ବିକଶିତ ଭାରତ ବିଲ୍ଡାଥନ - ୨୦୨୫’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
‘ବିକଶିତ ଭାରତ ବିଲ୍ଡାଥନ’ ଯୁବ ଉଦ୍ଭାବକଙ୍କୁ ସଶକ୍ତ କରିବ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ‘ବିକଶିତ ଭାରତ ବ
‘ବିକଶିତ ଭାରତ ବିଲ୍ଡାଥନ - ୨୦୨୫’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ


‘ବିକଶିତ ଭାରତ ବିଲ୍ଡାଥନ’ ଯୁବ ଉଦ୍ଭାବକଙ୍କୁ ସଶକ୍ତ କରିବ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ‘ବିକଶିତ ଭାରତ ବିଲ୍ଡାଥନ – ୨୦୨୫’ରଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ କାର୍ଯ୍ୟକ୍ରମରେ ଭାରତର ନବସୃଜନ

ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିବା ସହ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ - ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିକଶିତ ଭାରତ ବିଲ୍ଡାଥନର ଜିଙ୍ଗଲ୍ ଏବଂ ଲୋଗୋର ମଧ୍ୟ ଶୁଭାରମ୍ଭ କରିଥିଲେ । ସେ କହିଛନ୍ତି, ବିକଶିତ ଭାରତ ବିଲ୍ଡାଥନ୍ ନାମକ ଏକ ବଡ଼ ସ୍କୁଲ ହାକାଥନ୍ ଆରମ୍ଭ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ 'ଭୋକାଲ୍ ଫର୍ ଲୋକାଲ’, 'ଆତ୍ମନିର୍ଭର ଭାରତ', 'ସ୍ୱଦେଶୀ', ଏବଂ 'ସମୃଦ୍ଧି' ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ ।

ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଶିତ ଭାରତ ବିଲ୍ଡାଥନ୍ ପୋର୍ଟାଲ୍ ରେ ପଞ୍ଜିକରଣ କରିବା ପାଇଁ ଏକ ୱିଣ୍ଡୋ ରହିବ । ବିଭିନ୍ନ ତାରିଖ ଅନୁସାରେ ଅନ୍ୟାନ୍ୟ କାର୍ଯ୍ୟ ନିର୍ଦ୍ଧାରଣ ହୋଇଥିବା ବେଳେ ଏହି ବିଲ୍ଡାଥନ କାର୍ଯ୍ୟକ୍ରମ ଅକ୍ଟୋବର ୧୩ରୁ ଆରମ୍ଭ ହେବ । ଏହାର ଶେଷ ପର୍ଯ୍ୟାୟ ୨୦୨୬ ଜାନୁଆରୀରେ ଆୟୋଜନ ହୋଇ ଫଳାଫଳ ଘୋଷଣା ହେବ ଏବଂ ଶ୍ରେଷ୍ଠ ୧୦୦୦ରୁ ଅଧିକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଓ ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ସାରସ୍ୱତଙ୍କ ଉପସ୍ଥିତିରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିଥିଲେ । ଏହି ରିପୋର୍ଟର ଶୀର୍ଷକ ହେଉଛି “ପଥଓ୍ୱେଜ୍ ଟୁ ପ୍ରୋଗ୍ରେସ – ଆନାଲିସିସ ଆଣ୍ଡ୍ ଇନସାଇଟ୍ସ ଇନଟୁ ଇଣ୍ଡିଆ ଇନୋଭସନ ଷ୍ଟୋରୀ” ଅର୍ଥାତ୍ ପ୍ରଗତିର ପଥ: ଭାରତର ନବସୃଜନ କାହାଣୀରେ ବିଶ୍ଳେଷଣ ଏବଂ ଅନ୍ତର୍ଦୃଷ୍ଟି । ସେ କହିଛନ୍ତି, ଏହା କେବଳ ଏକ ରିପୋର୍ଟ ନୁହେଁ ବରଂ ଭାରତର ଅଭିବୃଦ୍ଧିର ଦର୍ପଣ । ୨୦୪୭ ସୁଦ୍ଧା ସମୃଦ୍ଧ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ହାସଲ କରିବା ପାଇଁ ଆମେ କିପରି ନବସୃଜନକୁ ବ୍ୟବହାର କରିବୁ ତାହାର ଏକ ରୋଡମ୍ୟାପ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରୋତ୍ସାହନ ଯୋଗୁଁ ଗତ ଦଶନ୍ଧିରେ ନବସୃଜନକୁ ପ୍ରାଥମିକତା ଦିଆଯାଉଛି । ଅନୁକୂଳ ନୀତି ଏବଂ ଆମର ଯୁବପିଢ଼ିଙ୍କ ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବ ଯୋଗୁଁ ଦେଶରେ ଷ୍ଟାର୍ଟ-ଅପ୍ ବିପ୍ଳବ ଆରମ୍ଭ ହୋଇଛି ବୋଲି ସେ କହିଥିଲେ ।

ଅପରପକ୍ଷରେ ଶ୍ରୀ ପ୍ରଧାନ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠଙ୍କ ସହ ଯୋଗଦେଇଥିଲେ । ସେ କହିଥିଲେ ଆମର ସଶସ୍ତ୍ର ବାହିନୀ ଆମର ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ଅତୁଟ ଭରସା ରଖିଛନ୍ତି । ଆଧୁନିକ ଯୁଦ୍ଧର ପ୍ରମୁଖ ବାହକ ଭାବରେ ଏଆଇ, ଡ୍ରୋନ୍ ଏବଂ ସଠିକ୍ ଅସ୍ତ୍ରଶସ୍ତ୍ର ସହିତ ଆମର ସଶସ୍ତ୍ର ବାହିନୀ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗୀତା ଆହୁରି ଅତ୍ୟାବଶ୍ୟକ ହୋଇପଡିଛି । ଅପରେସନ ସିନ୍ଦୁର ; ଗବେଷଣା, ନବସୃଜନ ଏବଂ ଶିକ୍ଷାଗତ ଶକ୍ତି କିପରି ଯୁଦ୍ଧକ୍ଷେତ୍ରରେ ନିର୍ଣ୍ଣାୟକ ବିଜୟରେ ଯୋଗଦାନ ଦେଇପାରେ ତାହାର ଏକ ଶକ୍ତିଶାଳୀ ଉଦାହରଣ । ଶିକ୍ଷା ମନ୍ତ୍ରଣାଳୟ ଆମର ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଷ୍ଟାର୍ଟ-ଅପ ସହଯୋଗରେ ଆମର ସୈନିକଙ୍କ ହାତକୁ ମଜବୁତ କରିବ । ଆମର ସଶସ୍ତ୍ର ବାହିନୀର କ୍ଷମତା ଏବଂ ପହଁଚକୁ ବିସ୍ତାର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ ବୋଲି ସେ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande