ଲେହ, ୨୪ ସେପ୍ଟେମ୍ବର (ହି.ସ.) – ଲେହରେ ଏକ ବିଶାଳ ପ୍ରତିବାଦ ଏବଂ ବନ୍ଦ ସମୟରେ ଯୁବକମାନଙ୍କ ଏକ ଗୋଷ୍ଠୀ ହିଂସାତ୍ମକ ହୋଇ ପଥର ଫିଙ୍ଗା ହେବା ପରେ ପୋଲିସ ଲୁହ ବୁହା ଗ୍ୟାସ ସେଲ୍ ଫୁଟାଇବା ସହିତ ଲାଠିଚାର୍ଜ କରିଥିଲା । ବୁଧବାର ଦିନ ଏହି ପ୍ରତିବାଦ ଷଷ୍ଠ ଅନୁସୂଚୀର ବିସ୍ତାର ଦାବିକୁ ସମର୍ଥନ କରିବା ସହିତ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସହିତ ପ୍ରସ୍ତାବିତ ଆଲୋଚନାକୁ ଆଗକୁ ନେବା ପାଇଁ କରାଯାଇଥିଲା । ଅକ୍ଟୋବର ୬ ତାରିଖରେ କେନ୍ଦ୍ର ଏବଂ ଲଦାଖ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଲେହ ଆପେକସ ବଡ଼ି ଏବଂ କାରଗିଲ ଡେମୋକ୍ରାଟିକ୍ ଆଲାଏନସ୍ର ସଦସ୍ୟମାନେ ସାମିଲ ଅଛନ୍ତି । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରୁ ୩୫ ଦିନ ଧରି ଅନଶନରେ ଥବବା ୧୫ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯିବା ପରେ ଲେହ ଶୀର୍ଷ ସଂଗଠନ ଯୁବ ଶାଖା ପ୍ରତିବାଦ ଏବଂ ବନ୍ଦ ଡାକରା ଦେଇଥିଲା । ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁଙ୍ଗଙ୍କ ନେତୃତ୍ୱରେ ହୋଇଥିବା ଏହି ଅନଶନ ମଧ୍ୟ ଏହି ଅଂଚଳରେ ଚାଲିଥିବା ଆନ୍ଦୋଳନର ଏକ ଅଂଶ ଥିଲା । ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଲେହରେ ଏକ ବିଜେପି କାର୍ଯ୍ୟାଳୟ ପୋଡ଼ି ଦିଆଯାଇଥିଲା, ଯାହା ପୋଲିସ ସହିତ ସଂଘର୍ଷରେ ପରିଣତ ହୋଇଥିଲା । ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ଅତିରିକ୍ତ ଫୋର୍ସ ମୂତୟନ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ