ମାଲକାନଗିରି, ୨୬ ସେପ୍ଟେମ୍ବର (ହି.ସ.)- ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ରେ ବିଭିନ୍ନ ବର୍ଗ ଯଥା ସବ୍ ଜୁନିଅର୍, ଜୁନିଅର୍, କେଡେଟ, ସିନିୟର୍, ପୁରୁଷ ଏଵଂ ମହିଳା ବିଭାଗ ରେ ଭାଗନେବା ପାଇଁ ମାଲକାନଗିରି ଜିଲ୍ଲାର ଖେଳାଳୀଙ୍କ ସମେତ ଅଫିସିଆଲ୍ ୨୩ ଜଣ ଖୋର୍ଦ୍ଧା ଜିଲ୍ଲାକୁ ଆଜି ଗସ୍ତ କରିଛନ୍ତି। ଖେଳାଳୀ ଙ୍କ ମଧ୍ୟରେ ପ୍ରାୟତ ସମସ୍ତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିଛି ବାପା ମାଆ ଛେଉଣ୍ଡ (ଅନାଥ) ଖେଳାଳୀ ବି ଅଛନ୍ତି।
ଜିଲ୍ଲା ଜୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳ ର ମିଳିତ ସହଯୋଗରେ ଉକ୍ତ ସମସ୍ତ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ରାଜ୍ୟ ସ୍ତରୀୟ ଚାମ୍ପିଅନସିପ ରେ ଭାଗ ନେବାପାଇଁ ସୁଯୋଗ ପ୍ରଦାନ କରିଛନ୍ତି।
ଆଜି ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସମେତ ମାନସ ମିଶ୍ର (ଅର୍ଥ), ଜିଲ୍ଲା ସୂଚନା ଏଵଂ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ହିମାଂଶୁ ମହାରଣା (କୌଶଳ ବିକାଶ), ଡିପିଏମ ଅଶୋକ ସାହୁ, ସେକ୍ସନ ଅଫିସର୍ ନୀଳକଣ୍ଠ ଭୂୟାଁ, ବରିଷ୍ଠ କିରାଣୀ ଅଶୋକ ପଟ୍ଟନାୟକ, ଶିକ୍ଷକ କାଳୁ ଚରଣ ମହାରଣାଙ୍କ ସମେତ ଜିଲ୍ଲା ଜୁଡୋ ଆସୋସିଏସନ୍ ର ଉପ ସଭାପତି ଚିନା ରାଓ ଏବଂ ଆଓମା ଗୁରୁକୂଳର ପ୍ରେସିଡେଣ୍ଟ ରତ୍ନାକର ଦାଶ ଙ୍କ ସହିତ ଅନେକ ସମାଜସେବୀ ଉପସ୍ଥିତ ରହି ଖେଳାଳୀଙ୍କୁ ପ୍ରେରଣା ଦେବା ସହିତ ଫୁଲତୋଡ଼ା, ଟୋପି, ଚକ୍ଲେଟ, ମିଠା ଆଦି ଉପହାର ପ୍ରଦାନ ପୂର୍ବକ ଫୁଲ ଚନ୍ଦନ ଦେଈ ଶୁଭକାମନା ଜଣାଇବା ସହିତ ସଫଳତା କାମନା କରି ଖେଳାଳୀଙ୍କ ମନୋବଳ ବଢ଼ାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ