ଚମ୍ପୁଆ, ୨୬ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତ ସରାସପଶି ଗ୍ରାମରେ ୧୫ ଟିକିଆ ବଣୁଆ ହାତୀପଲ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ଜଣାପଡିଛି । ଗତ ବୁଧବାର ରାତି ଏହି ହାତୀପଲ ରଜିଆ ଜଙ୍ଗଲ ପଟୁ ସୁନାପଶି ଯୋଡା ପୋଖରୀ ଗ୍ରାମ ଦେଇ ସରାସପଶି ଗ୍ରାମରେ ପଶିଥିଲେ । ସେଠାରେ ହାତୀପଲ ରାତିରେ ଏକର ଏକର ଜମିରେ ହୋଇଥିବା ଧାନ ଫସଲକୁ ଖାଇବା ସହ ମାଡି ଦଳି ନଷ୍ଟ କରିଥିଲେ। ଗ୍ରାମର କ୍ଷୀରୋଦ ମହାନ୍ତ, ଟଙ୍କଧର ମହାନ୍ତ, ଅଶୋକ ମହାନ୍ତ, ଯୁଗଳ ମହାନ୍ତ, ମାଧବ ମହାନ୍ତ, ମିଶ୍ର ମହାନ୍ତ, ଇନ୍ଦ୍ର ମହାନ୍ତ, ବିଜୟ ମହାନ୍ତଙ୍କ ଜମିରେ ପଶି ହାତୀପଲ ଫସଲ ନଷ୍ଟ କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଧାନଫସଲ ପ୍ରଭାବିତ ହୋଇଥିବା ବେଳେ ଆଉ କିଛି ଦିନ ପରେ ଅମଳ ହେବ । ଏଭଳି ସ୍ଥିତିରେ ହାତୀ ଉପଦ୍ରବ ଯୋଗୁଁ ଚାଷୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କ୍ଷୟକ୍ଷତିର ଆକଳନ କରି ଉଚିତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି। ଗତରାତିରେ ମିରିଗଶିଙ୍ଗା ଜଙ୍ଗଲରେ ଡେରା ପକାଇ ଥିବା ଏହି ହାତୀପଲ ଆଜି ବାଲିବନ୍ଧକୁ ଚାଲି ଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta