ବିଶ୍ୱ ପର୍ଯ୍ୟଟନ ଦିବସରେ ଐତିହାସିକ ଗୋହିରାଟିକିରି କଥା ଭୁଲିଗଲେ ସରକାର
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଶନିବାର ବିଶ୍ୱ ପର୍ଯ୍ୟଟନ ଦିବସ। ସେପଟେ ଆଉ ଦୁଇ ମାସ ପରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ୯ ବର୍ଷ ପୂରିଯିବ। ୨୮ ନଭେମ୍ବର ୨୦୧୬ରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତର ଗୋହିରାଟିକିରି ଐତିହାସିକ ସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତ
GOHIRATIKIRI KATHA BHULIGALE SARAKAR


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.) - ଶନିବାର ବିଶ୍ୱ ପର୍ଯ୍ୟଟନ ଦିବସ। ସେପଟେ ଆଉ ଦୁଇ ମାସ ପରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ୯ ବର୍ଷ ପୂରିଯିବ। ୨୮ ନଭେମ୍ବର ୨୦୧୬ରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତର ଗୋହିରାଟିକିରି ଐତିହାସିକ ସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଥିଲେ। ଘୋଷଣାର ୮ ବର୍ଷ ପରେ ସେମିତି କିଛି ଆଖି ଦୃଶିଆ ବିକାଶମୂଳକ କାମ ହୋଇନାହିଁ। ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାର ଲକ୍ଷ୍ୟ ଥିଲା ଯେ, ଅଂଚଳକୁ ଲୋକେ ଜାଣିବେ। ଏହି ସ୍ଥାନର ମହତ୍ୱ କଣ। କାହିଁକି ଏ ସ୍ଥାନଟି ପର୍ଯ୍ୟଟନସ୍ଥଳୀ ହେଲା। ତା ସହିତ ସଂପୃକ୍ତ ଅଂଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧ ବଢ଼ିବ। ହେଲେ ୯ ବର୍ଷରେ ଗୋହିରାଟିକିରିରି ବିକାଶ ହୋଇପାରିଲା ନାହିଁ। ୨ ବର୍ଷେ ପୂର୍ବରୁ କେବଳ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଗୋହିରାଟିକିରି ମଠରେ ଜଗନ୍ନାଥ ମନ୍ଦିର ଥିବାରୁ, ବିଭିନ୍ନ ସମୟରେ ବିବାହ, ବ୍ରତ ଓ ଅନ୍ୟାନ୍ୟା ସାମାଜିକ କାର୍ଯ୍ୟ ହୋଇଥାଏ। ଏଣୁ ଏହାକୁ ଦେଖି କଲ୍ୟାଣ ମଣ୍ଡପଟିଏ କରିଦେଇ କାମ ସାରିଛି ପ୍ରଶାସନ। ଏହାଛଡ଼ା ଆଉ କିଛି ନାହିଁ। ପର୍ଯ୍ୟଟନସ୍ଥଳୀରେ ଲୋକ ରହିବା ପାଇଁ ସୁବିଧା ହୋଇନାହିଁ। ଶୌଚାଳୟ କି ପାନୀୟ ଜଳ ସୁବିଧା ନାହିଁ। ଯାତ୍ରୀଙ୍କ ପାଇଁ ଉପଯୁକ୍ତ ରହଣି ସ୍ଥଳ, ବିଶ୍ରାମ ଗୃହ, ପାନୀୟ ଜଳ ସୁବିଧା କରାଯାଇ ନାହିଁ। ବଣଭୋଜି କରିବା ଲାଗି ପିଣ୍ଡି ହୋଇନାହିଁ।ବଡ଼କଥା ହେଉଛି, ପର୍ଯ୍ୟଟନସ୍ଥଳୀ କୁ ଏଯାଏ ଭଲ ରାସ୍ତା ହୋଇପାରିନାହିଁ। ଦୋବଲ ବଜାରରୁ ଗୋବିନ୍ଦାଗଡ଼ିଆ ଯାଏ ଲମ୍ବିଥିବା ଗେଙ୍ଗୁଟି ନଦୀବନ୍ଧ ଏକମାତ୍ର ଭରସାଯୋଗ୍ୟ ରାସ୍ତା। ହେଲେ ନଦୀବନ୍ଧ ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି। କିଛିବର୍ଷ ପୂର୍ବରୁ ରାସ୍ତାଟି ପିଚୁ ହୋଇଥିଲେ ବି ତାହା ନଷ୍ଟ ହୋଇଗଲାଣି। ତା ପରେ ଆଉ ମରାମତି ହୋଇନାହିଁ। ଆଉ ଗୋଟିଏ ପ୍ରମୁଖ ରାସ୍ତା ହେଉଛି, ଧାମନଗର ଦକ୍ଷିଣବାଡ଼ ଛକରୁ ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ହୋଇ ଗୋହିରାଟିକିରି ରାସ୍ତା। ହେଲେ ଏହି କଂକ୍ରିଟ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ମରାମତି ହୋଇଥିଲେ ବି ନିମ୍ନମାନର କାମ ଯୋଗୁଁ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତେବେ ତୃତୀୟ ରାସ୍ତା ହେଉଛି ବିଲ ବାଟେ ଖଡ଼ିପଦା ପଂଚାୟତର କାଞ୍ଜିଆପାଳକୁ ସଂଯୋଗ କରୁଛି। ହେଲେ ଏହି କଚା ରାସ୍ତାଟି ସଂପୂର୍ଣ୍ଣ ଭାବେ ବନ୍ୟାପ୍ଳାବିତ ଅଂଚଳରେ ରହିଛି। ବର୍ଷା ଋତୁରେ ଏ ରାସ୍ତାରେ ଯିବା ଆସିବା ସମ୍ଭବ ନୁହଁ। ତା ଛଡ଼ା ଖରାଦିନେ ବି ବଡ଼ ଗାଡ଼ି କି କାର ଯାଆସ କରିବା ଭଳି ହୋଇନାହିଁ। କେବଳ ଦୁଇ ଚକିଆ ନ ହେଲେ ଚାଲିକି ଯାଆସ କରିହେବ। ଗୋହିରାଟିକିରିକୁ ପରିଚୟ ଦେବା ଲାଗି ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକେ ଦାବୀ କରି ଆସୁଛନ୍ତି ଯେ, ଧାମନଗର ଦକ୍ଷିଣବାଡ଼ ଛକ, ଦୋବଲ କାଳୀବଜାରରେ ତୋରଣ ସହ ସୂଚନା ଫଳକ ଲଗାଇବାକୁ। ଆଜି ପର୍ଯ୍ୟନ୍ତ ସେନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୁରାଣ, କିମ୍ବଦନ୍ତୀ ଓ ଇତିହାସ ପଢ଼ି ଲୋକେ ଏଠାକୁ ଆସିବାକୁ ମନ କରୁଛନ୍ତି। ଗୋହିରାଟିକିରିରେ ପହଂଚିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ଧାମନଗର ଆସୁଥିଲେ ବି ଗୋହିରାଟିକିରିକୁ ଯିବା ଲାଗି ରାସ୍ତା ପାଉନାହାନ୍ତି। ଦିନକୁ ଦିନ ଗୋହିରାଟିକିରି ନିଜର ଅସ୍ତିତ୍ୱ ହରାଉଛି। ଯେଉଁସବୁ ପରିବେଶକୁ ନେଇ ଗୋହିରାଟିକିରିକୁ ଲୋକେ ଚିହ୍ନୁଥିଲେ, ଜାଣୁଥିଲେ, ଭାବୁଥିଲେ, ଏବେ ତାହା ଅପସରି ଯାଉଛି। ଗୋହିରାଟିକିରିରେ ଥିବା ବିରାଟ ଅର୍ଜ୍ଜୁନ ଗଛଟି ମୃତ ପ୍ରାୟ। ଶତାଧିକ ବର୍ଷର ପୁରୁଣା ଏ ଗଛଟି ଥରେ ବଜ୍ରପାତରେ ଜଳିଗଲା। ଗୋଟିଏ ବିରାଟ ଶାଖା ଜଳିପୋଡ଼ି ଖସି ପଡ଼ିଲା। ବାକି ରହିଯାଇଥିବା ଡାଳ ଉପରେ ଥରକୁ ଥର ଆସୁଥିବା ବାତ୍ୟା ଦାଉ ସାଧୁଛି। ଏମିତି ଯେ, କେଉଁଦିନ ଗଛଟି ପୂରା ନଷ୍ଟ ହୋଇଯିବ, ତାହା କହି ହେଉନି। କିମ୍ବଦନ୍ତୀ ରହିଛି, ଗୋହିରାଟିକିରିର ଅର୍ଜୁନ ଗଛ ମୂଳରେ ୧୨ ହାତ ଖଣ୍ଡା ବାହାରିବ। କଳି ଯୁଗ ସମାପ୍ତ ହେବ। ତାହାର ଅର୍ଥ କିଛି ବି ହୋଇପାରେ। ହେଲେ ଅର୍ଜୁନ ଗଛ ଆଉ ରହିବ ନାହିଁ। ଅର୍ଜୁନ ଗଛ ମୂଳେ ପ୍ରତିଷ୍ଠା ହୋଇଥିବା ଉତ୍କଳର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତି ବି ଜୀର୍ଣ୍ଣଶୀର୍ଣ୍ଣ ହୋଇ ପଡ଼ି ରହିଛି। ଏବେ ସରକାର ବଦଳିଛି, ସ୍ଥାନୀୟ ବିଧାୟଙ୍କ ସୂର୍ଯ୍ୟବଂଶୀ ସୁରଜ ମନ୍ତ୍ରୀ ହେବା ପରେ ପୀଠର ଉନ୍ନତିକରଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି କହିଥିଲେ। କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଆସି ବୁଲି ଯାଇଥିଲେ। ହେଲେ କିଛି କରାଯାଇନାହିଁ। ଆଜି ବି ଅପନ୍ତରା ହୋଇ ପଡ଼ିଛି। ଆଉ କେବେ ବଦଳିବ ଐତିହାସିକ ଗୋହିରାଟିକିରିର ଭାଗ୍ୟ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande