କେନ୍ଦ୍ରାପଡ଼ା, ୨୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଜୁଆଣିଆ ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନିତିର ତଦନ୍ତ ଓ ଏଥିରେ ସଂପୃକ୍ତ ଥିବା ସଂପାଦକ ଓ ସରପଂଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଶତାଧିକ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପୁର କୃଷି ସମବାୟ ସମିତି ଠାରୁ ୦୧.୦୯.୨୦୨୩ରୁ ଜୁଆଣିଆ କୃଷି ସମବାୟ ସମିତି ଅଲଗା ହୋଇଅଛି। ଅଲଗା ହେବାପରେ ଏହି ସମବାୟ ସମିତିର ସଂପାଦକ ଓ ସରପଂଚଙ୍କ ମଧୁଚନ୍ଦ୍ରିକା ଯୋଗୁ ସମିତିରେ କୋଟି କୋଟି ଟଙ୍କା ଦୁର୍ନିତି ହୋଇଥିବାର ଅଭିଯୋଗ ହେବାପରେ ସ୍ୱତନ୍ତ୍ର ଅଡିଟ ମଧ୍ୟ ସରିଛି। ଏଥିରେ ସଂପୃକ୍ତ ଥିବା ସଂପାଦକ ନିଲମ୍ବନ ହେବାପରେ ସରପଂଚଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଥିସହ ସଂପାଦକ ନିଲମ୍ବନ ହେବାପରେ ତାଙ୍କ ସ୍ଥାନରେ ଅନ୍ୟ ସଂପାଦକଙ୍କୁ ନିଯୁକ୍ତି ଦେବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ସଂପାଦକ ନିଯୁକ୍ତି ହୋଇପାରୁ ନାହାଁନ୍ତି । ବାରମ୍ବାର ଏ ବିଷୟରେ ଏଆର୍ସିଏସ୍ ଓ ଡିଆର୍ସିଏସ୍ଙ୍କୁ ଅଭିଯୋଗ କଲାପରେ ମଧ୍ୟ ସେଠାରେ ସଂପାଦକ ନିଯୁକ୍ତି ନହେବାରୁ ଏହା ଧୋୟାଂଚଳ ହୋଇଥିବାରୁ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କର ସହାୟତା ବୀମା ରାଶି ଓ ଋଣ ପାଇବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ଜୁଆଣିଆ ଅଂଚଳବାସୀ ମୁଖ୍ୟମନ୍ତ୍ରୀ ଓଡ଼ିଶା, ମୁଖ୍ୟ ସଚିବ, ସମବାୟ ମନ୍ତ୍ରୀ, ରେଜିଷ୍ଟାର ସମବାୟ ସମିତି ଓଡ଼ିଶା, କଟକ କେନ୍ଦ୍ର ସମବାୟ ସମିତିର ସଂପାଦକ ଆଦିଙ୍କୁ ଅଭିଯୋଗ କରାଯାଇଛି। ଆଜି ଶତାଧିକ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଜୁଆଣିଆ କୃଷି ସମବାୟ ସମିତିରେ ସଂପାଦକ ନିଯୁକ୍ତି କରିବା ସହ ଦୁର୍ନିତି ହୋଇଥିବା କୋଟି କୋଟି ଟଙ୍କାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଜୟ କୁମାର ସାମଲ, ପ୍ରଶାନ୍ତ ସାମଲ, ରଜତ ଧଳ, ବିକାଶ ସାମଲ, ରଂଜନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି