ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଇକଣ୍ଡୋ କୋଚ ତଥା ପରିବେଶ ପ୍ରେମୀ ଅସୀମ କୁମାର ଭୋଇ ବ୍ୟକ୍ତିଗତ ଉଦ୍ୟମରେ ଆଜି ସ୍କୁଲ ପରିସରେ ୩୩ଟି ଚାରା ବୃକ୍ଷରୋପଣ କରିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନର ସହଯୋଗ ହେଲେ ସାମାଜିକ କର୍ମୀ ଅସୀମ ଭୋଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିପାରିବେ ବୋଲି କହିଛନ୍ତି । ଜଣେ ଦକ୍ଷ କରାଟେ ଟାଇକଣ୍ଡୋ କୋଚ ତଥା ଆତ୍ମରକ୍ଷା ପ୍ରଶିକ୍ଷକ ଭାବେ ଛାତ୍ର ଛାତ୍ରୀଙ୍କୁ ତିନି ଦଶନ୍ଧି ଧରି ପ୍ରଶିକ୍ଷଣ ଦେଇ ଆସୁଥିବା ବେଳେ ଆଜିର ଦିନରେ ବୃକ୍ଷରୋପଣ ତାଙ୍କର ଏକ ନିଶାରେ ପରିଣତ ହୋଇଛି । ଶ୍ରୀ ଭୋଇ ନିଜ ବ୍ୟକ୍ତିଗତ ଉଦ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭୀମ ଭୋଇ ହସପିଟାଲ, ଚିଲଡ୍ରେନ ପାର୍କ, ଜୋଗର୍ସ ପାର୍କ, ମିଶନ ହାଇସ୍କୁଲ ପଡିଆ, ବାଇପାସ ରୋଡ, ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ପ୍ରତ୍ୟେହ କିଛି ନା କିଛି ବୃକ୍ଷରୋପଣ କରୁଥିବା ଦେଖିବାକୁ ମିଳିଛି । ପରିବେଶ ପ୍ରେମୀ ତଥା ଯୁବ ସମାଜସେବୀ ଶ୍ରୀ ଭୋଇଙ୍କ ଏଭଳି ନିରନ୍ତର ପ୍ରୟାସ ଅନ୍ୟମାନଙ୍କ ପ୍ରତି ଆଗାମୀ ଦିନରେ ଉଦାହରଣ ସାଜିବ ବୋଲି ବୁଦ୍ଧିଜିବି ମହଲରେ ଆଲୋଚନା ହେଉଛି ।
ପ୍ରକାଶ ଥାଉକି, ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅଟନ୍ତି ଅସିମ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ