ନୂଆଦିଲ୍ଲୀ, ୨୬ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଭୂତତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ଭୂବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି ଯେ, ମାନବ ସଭ୍ୟତାର ବିକାଶରେ ଖଣିଜ ପଦାର୍ଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପୃଥିବୀ ପୃଷ୍ଠରେ ଉପସ୍ଥିତ ଖଣିଜ ପଦାର୍ଥଗୁଡ଼ିକ ମାନବ ଜୀବନର ମୂଳଦୁଆ ପ୍ରଦାନ କରିଛି ଏବଂ ଆମର ବାଣିଜ୍ୟ ଏବଂ ଶିଳ୍ପକୁ ଆକୃତି ଦେଇଛି । ପ୍ରସ୍ତର ଯୁଗ, ବ୍ରୋଞ୍ଜ ଯୁଗ ଏବଂ ଲୌହ ଯୁଗ - ମାନବ ସଭ୍ୟତାର ବିକାଶର ପ୍ରମୁଖ ପର୍ଯ୍ୟାୟ - ଖଣିଜ ପଦାର୍ଥ ଅନୁସାରେ ନାମିତ ହୋଇଛି । ଲୁହା ଏବଂ କୋଇଲା ଭଳି ଖଣିଜ ପଦାର୍ଥ ବିନା ଶିଳ୍ପାୟନ କଳ୍ପନା କରାଯାଇ ନଥାନ୍ତା ।
ରାଷ୍ଟ୍ରପତି କହିଛନ୍ତି ଯେ, ଖଣି ଅର୍ଥନୈତିକ ବିକାଶ ପାଇଁ ସମ୍ବଳ ଯୋଗାଇଥାଏ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ତଥାପି, ଏହି ଶିଳ୍ପର ଅନେକ ପ୍ରତିକୂଳ ପ୍ରଭାବ ମଧ୍ୟ ରହିଛି, ଯେଉଁଥିରେ ସ୍ଥାନୀୟ ବାସିନ୍ଦାଙ୍କ ବିସ୍ଥାପନ, ଜଙ୍ଗଲ କ୍ଷୟ ଏବଂ ବାୟୁ ଓ ଜଳ ପ୍ରଦୂଷଣ ଅନ୍ତର୍ଭୁକ୍ତ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରତିକୂଳ ପ୍ରଭାବକୁ କମ୍ କରିବା ପାଇଁ ଖଣି ପ୍ରକ୍ରିୟା ସମୟରେ ସମସ୍ତ ନିୟମାବଳୀ କଡ଼ାକଡ଼ି ପାଳନ କରାଯିବା ଆବଶ୍ୟକ । ସ୍ଥାନୀୟ ବାସିନ୍ଦା ଏବଂ ବନ୍ୟପ୍ରାଣୀଙ୍କୁ ଯେପରି କ୍ଷତି ନହୁଏ ତାହା ନିଶ୍ଚିତ କରିବା ପାଇଁ ଖଣି ବନ୍ଦ କରିବା ସମୟରେ ମଧ୍ୟ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ୍ ।
ରାଷ୍ଟ୍ରପତି ଆଲୋକପାତ କରିଥିଲେ ଯେ, ଆମ ଦେଶ ତିନି ପାର୍ଶ୍ୱରେ ସମୁଦ୍ର ଦ୍ୱାରା ଘେରି ରହିଛି । ଏହି ସମୁଦ୍ରର ଗଭୀରତାରେ ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ଗଚ୍ଛିତ ରହିଛି । ଦେଶର ବିକାଶ ପାଇଁ ଏହି ସମ୍ପଦଗୁଡ଼ିକୁ ବ୍ୟବହାର କରିବାରେ ଭୂତତ୍ୱବିତ୍ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସେ ଭୂତତ୍ୱବିତ୍ ମାନଙ୍କୁ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବାକୁ ଅନୁରୋଧ କରିଥିଲେ ଯାହା ସାମୁଦ୍ରିକ ଜୈବ ବିବିଧତାର କ୍ଷତିକୁ କମ୍ କରିବା ସହିତ ଦେଶର ଲାଭ ପାଇଁ ସମୁଦ୍ର ତଳେ ଥିବା ସମ୍ପଦଗୁଡ଼ିକୁ ବ୍ୟବହାର କରିପାରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ