ସମ୍ବଲପୁର, ୨୬ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତର ଜଣେ ପ୍ରତିଷ୍ଠିତ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ପଶ୍ଚିମ ବଙ୍ଗ ନିବାସୀ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ଜୟନ୍ତୀ ଓ ଓଡ଼ିଶାରେ ଜନ୍ମିତ ସମାଜ ସଂସ୍କାରକ ଦଳିତ ନେତା ପୂର୍ବତନ ମନ୍ତ୍ରୀ ପଦ୍ମଶ୍ରୀ ମୋହନ ନାୟକଙ୍କ ଜୟନ୍ତୀ ଉତ୍ସବକୁ ମିଳିତ ଭରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବରିଷ୍ଠ ଶିକ୍ଷକ ହେମାନନ୍ଦ ଗନିକଙ୍କ ସଭାପତିତ୍ୱ ଓ ସଂସ୍କୃତ ଶିକ୍ଷକ କୁଳମଣି କିସାନଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ପରିବେଶ ବିତ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ତାଙ୍କ ଭାଷଣରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଜୀ ବିଧବା ବିବାହର ଆଦ୍ୟ ପ୍ରଚଳକ, ସମାନତା ପ୍ରତିଷ୍ଠା ଓ ବାଳିକା ଶିକ୍ଷାକୁ ପ୍ରସାରିତ କରିଥିବା ବେଳେ ପଦ୍ମଶ୍ରୀ ମୋହନ ନାୟକ ପୁରୀ ଜଗନ୍ନାଥ ମନ୍ଦିରକୁ ସମସ୍ତଙ୍କ ପାଇଁ ଖୋଲି ଦେବାକୁ ସକ୍ଷମ ହୋଇ ପାରିଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁରସ୍କ୍ରୁତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ମୁଖ୍ୟ ବକ୍ତା ଓ ଉଦ୍ୟାନ ବିତ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିଗଣ ଉଭୟ ସଂସ୍କାରକଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସହକାରୀ ଶିକ୍ଷକ ତପବନ୍ତ ମେହେର ଦିବସର ମାହାତ୍ମ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ଟୁଇଙ୍କିଲ ପଟେଲ ଅତିଥି ପରିଚୟ ଦେବାପରେ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଉପରେ ସଚେତନ କରାଇଥିଲେ। ଏହାପରେ ଛାତ୍ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ସ୍କୁଲ ପରିସର ଓ ହଷ୍ଟେଲ ପରିସରରେ ବିଭିନ୍ନ ଦୁର୍ଲଭ ଫଳ ଚାରାରୋପଣ କରିଥିଲେ। ଏହି ଅବସରରେ ସମସ୍ତ ହାତ ଟେକି ପରିବେଶ ସଚେତନତା, ବୃକ୍ଷ ରୋପଣ ଓ ସମାଜକୁ ସୁପଥରେ ଆଗେଇ ନେବାପାଇଁ ଶପଥ ନେଇଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ରେଣୁକା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ