ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ବଲାଙ୍ଗୀର ବିଜେପି ପକ୍ଷରୁ ଅନୁଷ୍ଠିତ ଗତକାଲି ଏକ ବୁଦ୍ଧିଜୀବୀ ସମ୍ମିଳନିରେ ସହରର ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ ଓ ସାମ୍ବାଦିକ ଯୋଗଦେଇ ଏହିସବୁ ସମସ୍ୟା ଉପରେ ବିଚାର ଆଲୋଚନା କରି ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର କିପରି ସଫଳ ରୂପାୟନ ହୋଇପାରିବ ସେ ସଂପର୍କରେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଦେଇଥିଲେ । ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣକୁ ଶୀଘ୍ର ସମାପ୍ତ କରାଯାଉ। ସରକାରଙ୍କ ପ୍ରସ୍ତାବିତ ବଲାଙ୍ଗୀର-ନୂଆପଡା ଭାୟା ପାଟଣାଗଡ଼ ରେଳପଥ ନିର୍ମାଣ କାମକୁ ସରକାର ପ୍ରାଥମିକତା ଦିଅନ୍ତୁ। ଏଥିସହ କଂଟାବାଞ୍ଜିରେ ରେଳ ୱାଗନ କାରଖାନା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗୀର ସହରର ରାସ୍ତାରେ ବୁଲା ଗାଈଗୋରୁ ଓ କୁକୁର ମାନଙ୍କ ଅବାଧ ବିଚରଣ ଯୋଗୁଁ ରାସ୍ତା ଦୁର୍ଘଟଣା ଓ ଧନଜୀବନ ନଷ୍ଟ ହେଉଛି । ଏମାନଙ୍କୁ ଦମନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ସୁବିଧାଦୃଷ୍ଟିରୁ ବଲାଙ୍ଗୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ ଓ ବଲାଙ୍ଗୀରରେ କୃଷି ବିଦ୍ୟାଳୟ ସ୍ଥାପନ, ବଲାଙ୍ଗୀରରେ ସ୍ୱାସ୍ଥ୍ୟ ସୁବିଧା ଦୃଷ୍ଟିରୁ ଟ୍ରମା ସେଂଟର ସ୍ଥାପନ, ଜଳସେଚନ ଓ ରାଜେନ୍ଦ୍ର କଲେଜରେ ଅଧ୍ୟାପକ ପଦବୀ ପୂରଣ ପ୍ରସଙ୍ଗ ଉପରେ ଉପସ୍ଥିତି ବୁଦ୍ଧିଜୀବୀ ମାନେ ନିଜର ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାକୁ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ପରିଚାଳନା କରିଥିବା ବେଳେ ସାଂସଦ ପ୍ରତିନିଧି ଦିନେଶ ଶର୍ମା ମଂଚାସୀନ ଥିଲେ । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ନିଜ ଉଦ୍ବୋଧନରେ ଆତ୍ମନିର୍ଭରଶୀଳ ଭାରତ ଗଠନରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱାଧୀନ ବିଜେପି ସରକାର ବଦ୍ଧପରିକାର ବୋଲି କହିଥିଲେ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଜିଲ୍ଲାର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ସହଯୋଗ ମତେ ଜିଲ୍ଲାର ବିକାଶ ଦିଗରେ କାମ କରିବାକୁ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ସିଂଦେଓ କହିଥିଲେ । ବିଜେପିର କାର୍ଯ୍ୟଶୈଳୀ ଅନ୍ୟ ଦଳ ଠାରୁ ଅଲଗା, କେନ୍ଦ୍ରରେ ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ଆମେ ବର୍ଷତମାମ ସାଧାରଣ ଜନତାଙ୍କ ପାଇଁ କାମ କରୁଛୁ ଏବଂ ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ଯୋଜନା ପାଇଁ ଦିଆଯାଉଥିବା ଅର୍ଥର କିପରି ସଠିକ ବିନିଯୋଗ ହୋଇପାରିବ ତା ଉପରେ ଶ୍ରୀମତୀ ସିଂଦେଓ ଜୋର୍ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାର ସବୁବର୍ଗର ଲୋକଙ୍କ ବିକାଶ ପାଇଁ ଡବଲ୍ ଇଞ୍ଜିନ୍ ସରକାର ବଦ୍ଧପରିକର ବୋଲି ଶ୍ରୀମତୀ ସିଂହଦେଓ ଦୃଢୋକ୍ତି ପ୍ରକାଶ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଶ୍ରୀକର ମିଶ୍ର, ମନୋରଂଜନ ସାହୁ, ଆଇନଜୀବୀ ଭବାନୀ ଶତପଥୀ, ରତନ ମହାରଣା, ସତ୍ୟନାରାୟଣ ଥାର୍ଟି, ଦେବେନ ପାଣିଗ୍ରାହୀ, ସୁଧାଂଶୁ ଦେଓ, ବରିଷ୍ଠ ନାଗରିକ ବେଲାରସିଂ ଭୋଇ, ନୀଳମଣି ମିଶ୍ର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର ପ୍ରମୁଖ ଯୋଗଦେଇ ଜିଲ୍ଲାର ବିକାଶକୁ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ