ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶିକ୍ଷାବିତ୍, ସଂସ୍କୃତି ଗବେଷକ ଡ. ପ୍ରଶାନ୍ତ କୁମାର ରଥ । ସଂପାନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ସ୍ୱତନ୍ତ୍ର ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ।
ସମ୍ପାନର ମୁଖ୍ୟ ବକ୍ତା ଡ. ପ୍ରଶାନ୍ତ କୁମାର ରଥ ଶକ୍ତି ତତ୍ତ୍ୱରେ ଷୋଳ ପୂଜା ଉପାସନା ଶୀର୍ଷକରେ କହିଥିଲେ ଯେ ବୈଦିକ ସଭ୍ୟତାରୁ ହିଁ ଶକ୍ତିବାଦର ପ୍ରଭାବ, ଶକ୍ତି ଉପାସନା ଓ ଷୋଳପୂଜା ପଦ୍ଧତି ରହି ଆସିଛି । ଶକ୍ତିର ଅର୍ଥ, ପ୍ରକୃତି, ମାୟା, ସ୍ୱଭାବ, ଆଦ୍ୟାଶକ୍ତି ସନାତନୀ ଇତ୍ୟାଦି । ଏ ଜଡ ଚେତନାତ୍ମକ ଜଗତର ରୂପାନ୍ତର ହିଁ ଶକ୍ତି । ପରମାତ୍ମାଙ୍କ ସୃଷ୍ଟି କଳା କୌଶଳର ପ୍ରଥମ ପ୍ରକାଶ ହେଲା ଶକ୍ତି । ଯିଏ ବ୍ରହ୍ମ ସିଏ ଶକ୍ତି ସିଏ ହିଁ ଷୋଳକଳା । ସାରା ଦୃଶ୍ୟ, ଅଦୃଶ୍ୟ ଜଗତର ସୃଷ୍ଟି, ସ୍ଥିତିି, ପ୍ରଳୟ ଏକମାତ୍ର ଶକ୍ତି ତତ୍ତ୍ୱ ଦ୍ୱାରା ସଂଚାଳିତ । ଷଡ଼ ଋତୁ ଭେଦରେ ମାତୃଶକ୍ତିିକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ମୂଳ ପ୍ରକୃତିର ମହୋତ୍ସବପାଇଁ ଦେବୀ ଦୁର୍ଗାଙ୍କର ଷୋଳପୂଜା ଉପାସନାର ସୃଷ୍ଟି । ସାରା ପୃଥିବୀରେ ଉତ୍କଳ ମଣ୍ଡଳରେ କେବଳ ପୁରୀ ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାରେ ଷୋଳପୂଜାର ବିଧି ପରମ୍ପରା ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ବିନାଶକ ପୂଜା ମା; ବିମଳା ଓ ଦୋଳମଣ୍ଡପ ସାହି ମା; ନାରାୟଣୀଙ୍କ ନିକଟରେ ବୈଦିକ ରୀତି ନୀତିରେ ପାଳିତ ହେଉଛି । ମଣିଷର ଶକ୍ତି କେନ୍ଦ୍ର ଶରୀର ମଧ୍ୟସ୍ଥ ମୂଳାଧାର ଚକ୍ରଠାରେ ସ୍ଥିତ କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରାଇ ସୁଷୁମ୍ନା ନାଡି଼ ସହ ମିଳନ କରାଇବାର ଯୋଗ ସାଧନର ବିଶୁଦ୍ଧ ଚକ୍ରର ଷୋଳ ପାଖୁଡ଼ା ପଦ୍ମକୁ ଭେଦ କରି ଆଜ୍ଞା
ଚକ୍ରରେ ଥିବା ତୃତୀୟ ନୟନ ବା ୱାନଚକ୍ଷୁ କୁ ଖୋଲି ପାରିଲେ ଷୋଳପୂଜାର ସାର୍ଥକ ପ୍ରତିପାଦିତ ହୁଏ । ବୈଜ୍ଞାନିକ ମତରେ ଶରୀର ତତ୍ତ୍ୱରେ ମଣିପୁର ଚକ୍ରର ଅଗ୍ନିତତ୍ତ୍ୱ ଓ ଦଶପାଖୁଡ଼ା ପଦ୍ମକୁ ଭେଦ କରି ତୃତୀୟ ପାଦକୁସ୍ପର୍ଶକରି ଆଗକୁ ବଢି ୱାନଚକ୍ଷୁ ଖୋଲି ବ୍ରହ୍ମରନ୍ଧ୍ର ବା ସହସ୍ରାର ଚକ୍ରକୁ ଭେଦ କରି ଆନନ୍ଦରସ ପାନ କରିବା ପାଇଁ ଷୋଳପୂଜାର ଉପାସନା କରାଯାଏ । ପିତୃଶକ୍ତି ଓ ମାତୃଶକ୍ତି ଏକ ଓ ଅଭିନ୍ନ ।
ସମ୍ପାନର ମୁଖ୍ୟ ଅତିଥି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ କହିଥିଲେ ଯେ ଆମେ ପୃଥିବୀକୁ ମା;ବୋଲି ବିବେଚନା କରୁ । ନଦୀକୁ ମା ବୋଲି କହୁ, ବୃକ୍ଷଲତାକୁ ମା ବୋଲି କହିଥାଉ । ମା ଏକ ସ୍ୱରୂପ ନୁହେଁ ମା ର ଅର୍ଥ ହେଉଛି ଯିଏ ସବୁକିଛିକୁ ସୃଷ୍ଟି କରିଥାଏ । ଇଶ୍ୱରବି ଯେତେବେଳେ ଅବତାର ନେଇଛନ୍ତି, ସେ ମଧ୍ୟ ମା; ପାଖରୁ ହିଁ ଜନ୍ମ ନେଇଛନ୍ତି । ମାତୃପୂଜା କେଉଁ ପୁରାତନ କାଳରୁ ରହିଆସିଛି ଏବେ ମଧ୍ୟ ଏହା ଚଳି ଆସୁଛି ।
ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତର କାର୍ଯ୍ୟକ୍ରମ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା