ମାଲକାନଗିରି, ୨୭ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ଅବକାରୀ କମିଶନର ଡି. ଆନେଶ୍ବର ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏକ ମାସ ଧରି ଅବକାରୀ ବିଭାଗ ତରଫରୁ ଚୋରା ଗଞ୍ଜେଇ ଓ ମାଦକଦ୍ରବ୍ୟ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ ବିଶେଷ ଅଭିଯାନ ଚାଲିଥିବା ସମୟରେ ଗତକାଲି କାଲିମେଳା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା l ମାଲକାନଗିରି ଜିଲ୍ଲା କାଲିମେଳା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗି ବାଡା ଗ୍ରାମ କେନାଲ ରୋଡରେ କାଲିମେଳା ଅବକାରୀ ଅଧିକାରୀ ଦୀପକ କୁମାର ସାମଲ ଏକ ଚାରି ଚକିଆ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ୪୦ କିଲୋ ଗଞ୍ଜେଇ ପାଇଥିଲେ l ଗଞ୍ଜେଇ ଏବଂ ଟାଟା ଇଣ୍ଟ୍ରା ଭି-୧୦ ଗାଡିକୁ ଜବତ କରିବା ସହ ୨ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି l ଏହି ଘଟଣାରେ ମୋଟୁ ଗ୍ରାମର ପୂର୍ବତନ ସରପଞ୍ଚ ସୋଡି ମୁନ୍ନା ଏବଂ ପୁସୁଗୁଡା ଗ୍ରାମର ଆଶିଷ ସାଲବାମ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି l ଅଭିଯୁକ୍ତ ସୋଡି ମୁନ୍ନାକୁ ପୂର୍ବରୁ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଖୋଜୁଥିବା ବେଳେ କାଲିମେଳା ଅବକାରୀ ବିଭାଗ ତାକୁ ଧରିବାରେ ସକ୍ଷମ ହୋଇଛନ୍ତି l
ଏହି ପାଟ୍ରୋଲିଂ ସମୟରେ କନେଷ୍ଟବଳ ପ୍ରବୀଣ କୁମାର ସାହୁ, ସୁଜାତା ହିଆଲ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଉପସ୍ଥିତ ରହିବା ସହ ଏହାର ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ