ବାରିପଦା, ୨୭ ସେପ୍ଟେମ୍ବର (ହି.ସ.) - ଦୁର୍ଗାପୂଜା ସମୟରେ ସହରରେ ବସ ଓ ଟ୍ରକ ଆଦି ଯାନବାହାନ ଚଳାଚଳ ଉପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ କଟକଣା କରିଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାରିପଦା ସହରରେ ଅଧିକ ଜନସମାଗମ ସହ ଯାନବାହନ ଚଳାଚଳ ହେବାର ସମ୍ଭାବନା ରହିଛି। ତେଣୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଥି ସହିତ ଗହଳି ଓ ଅଧିକ ଯାନବାହନ ଚଳାଚଳ ପାଇଁ ରାସ୍ତା ଜାମ ହେବାର ସମ୍ଭାବନା ଦେଖା ଦେଇଛି। ଏଥିପାଇଁ ଆପତିକାଳୀନ ସେବା ଯୋଗାଇବା ମଧ୍ୟ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହିସବୁ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳାଚଳ ରୁଟ ପରିବର୍ତନ କରାଯାଇଛି। ଜନସାଧାରଣଙ୍କ ଶାନ୍ତି ଶୃଙ୍ଖଳା ଗମନାଗମନ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ସହରରେ ଗାଡି ମୋଟର ଯାନବାହନ ସୁଗମ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ତଦନୁସାରେ ଦୈନନ୍ଦିନ ଚଳାଚଳ କରୁଥିବା ବସ, ଟ୍ରକ ଓ ଅନ୍ୟାନ୍ୟ ଯାନ ଗୁଡିକ ଦୁର୍ଗା ପୂଜା ସମୟରେ ୨୮-୦୯-୨୦୨୫ରୁ ୦୨-୧୦-୨୦୨୫ ପର୍ଯ୍ୟନ୍ତ ବାଘରାରୋଡ଼, ଦାରୋଗାଡାହି ଛକ, ଓ ବାଲେଶ୍ୱର ଗୋଲେଇ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରିବେ। ପୂଜା ଗହଳି ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ