କୋରେଇ, ୨୭ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସୋତି ନିକଟସ୍ଥ ପୁରୁଣା ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବସ୍ ଦୁର୍ଘଟଣାରେ ଅଳ୍ପକେ ଯାତ୍ରୀ ବର୍ତୀ ଯାଇଥିବା ବେଳେ ଆଗରେ ବସିଥିବା ୩ ଜଣ ଆହତ ହୋଇଛନ୍ତି ।
ପ୍ରକାଶଯେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ୫୫ ଜଣ ଯାତ୍ରୀଙ୍କୁ ନେଇ ଆରିୟନ ନାମକ ଏକ ଘରୋଇ ବସ ନମ୍ବର ( ଡବ୍ଲ୍ୟୁବି ୪୯ଏନ ୧୦୪୨) ବାହାରିଥିଲା । ୧୬ ନମ୍ବର ଜାତୀୟ ରାପଥର ସୋତି ଗ୍ରାମ ନିକଟସ୍ଥ ପୁରୁଣା ଟୋଲ ଗେଟ ନିକଟରେ ଦ୍ରୁତଗତିରେ ଆସୁଥିବା ବସ୍ ଟି ଏକ ହାଇୱା ପଛରେ ପିଟି ହୋଇଥିଲା । ଫଳରେ ବସ୍ ର ଆଗଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଥିବା ବେଳେ ଖଲାସୀ ପଟଟି ସମ୍ପୂର୍ଣ୍ଣ ଭିତରକୁ ପସି ଯାଇଥିଲା । ଫଳରେ ଆଗରେ ବସିଥିବା ତିନି ଜଣ ଆହତ ହୋଇଥିଲେ । ଖବର ପାଇ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ ସଦସ୍ୟ, ପାଣିକୋଇଲି ପୁଲିସ, କୁଆଖିଆ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକମାନେ ପହଂଚିଥିଲେ । ଗାଡିର ଡୋର ଖୋଲୁନଥିବାରୁ ଆଗ କାଚ ବାଟେ ଓ ଚାଳକ ପଟରେ ଥିବା ଜରୁରୀକାଳୀନ ଦ୍ୱାର ଦେଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଆହତ ତିନି ଜଣଙ୍କୁ ପୁଲିସ ୧୧୨ ଗାଡିରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ବେଳେ ଅନ୍ୟ ୫୨ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ବସ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ବସ୍ ଟିକୁ ଜବତ କରିଛି । ପରେ ଅଟକି ରହିଥିବା ଗାଡିଗୁଡିକୁ ସ୍ୱାଭାବିକ୍ ଭାବେ ଚଳାଚଳ କରାଯାଇଥିଲା । ହେଲେ ଦୁର୍ଘଟଣା ହେବା କ୍ଷଣି ହାଇୱାଟି ଫେରାର୍ ହୋଇଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ