ସମ୍ବଲପୁର, ୨୭ ସେପ୍ଟେମ୍ବର (ହି.ସ.) - ବୁର୍ଲା ଥାନା ଅନ୍ତର୍ଗତ ଗାନ୍ଧୀପଡାର ଗୋବିନ୍ଦ କୁମ୍ଭାର ସବୁଦିନ ପରି ନିଜ ଗ୍ରୋସେରୀ ଦୋକାନକୁ ଗତ ୨୪ ତାରିଖ ରାତିରେ ତାଲା ପକାଇ ଘରକୁ ଯାଇଥିଲେ । ମାତ୍ର ୨୫ ତାରିଖ ସକାଳେ ଦୋକାନ ଖୋଲିବାକୁ ଆସିବା ପରେ ଦେଖିଲେ ଯେ' କୈଣସି ଦୁର୍ବୃତ ତାଙ୍କ ଦୋକାନର ତାଲା ଭାଙ୍ଗି ସର୍ବସ୍ୱ ଚୋରୀ କରି ନେଇଛି । ଶ୍ରୀ କୁମ୍ଭାର ତୁରନ୍ତ ଏ ସମ୍ପର୍କରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ପାଇବା ପରେ ବୁର୍ଲା ଥାନା ପୋଲିସ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବୁର୍ଲା ଥାନା ଅନ୍ତର୍ଗତ ଧୀପାପଡା ଗୌଡ଼ପାଲି ଗ୍ରାମର ଆର୍ତ ମହାନନ୍ଦର ୨୦ ବର୍ଷର ପୁଅ ଦେବରାଜ୍ ମହାନନ୍ଦକୁ ଧରି ଜେରା କରିଥିଲା । ଜେରା ବେଳେ ଦେବରାଜ୍ ନିକଟରୁ ପୋଲିସ ଦୋକାନରୁ ଚୋରୀ ହୋଇଥିବା ନଗଦ ୧୭ ଶହ ଟଙ୍କା ସହିତ ଲଲିପପ୍ ଚକୋଲେଟ୍ ଥିବା ଗୋଟିଏ ପଲିଥିନ୍, ଦିଲରୁବା ପାନମସଲା, ପାନବହାର ପାନମସଲା, ଏଭରେଷ୍ଟ ଚିକେନ୍ ମସଲା, ମିଟ୍ ମସଲା, ଭାରତ ଜିରା ଗୁଣ୍ଡ, ମାଉଥ୍ ଫ୍ରେସନର, ଲାଇଫବଏ, ଲକ୍ସ୍, ଭିଭେଲ୍ ସାବୁନ ଓ ତେଲ ଭଳି ବହୁ ଚୋରି ସାମଗ୍ରୀ ଜବତ କରିବା ସହ ତାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିରୋଧରେ ପୂର୍ବରୁ ବୁର୍ଲା ଥାନାରେ ବିଭିନ୍ନ ଦଫାରେ ୩ଟି ଅପରାଧିକ ମାମଲା ମଧ୍ୟ ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ